କଳାହାଣ୍ଡି,୧୬/୦୪- ନିର୍ବାଚନ ଯେତେ ପାଖେଇ ଆସୁଛି । ବିଭିନ୍ନ ଦଳରେ ବଢୁଛି ଅସନ୍ତୁଷ୍ଟ ନେତାଙ୍କ ସଂଖ୍ୟା । ସେହିପରି ଦଳଡିଆଁ ବଢିବାରେ ଲାଗିଛି । ଏଥର ନିର୍ବାଚନରେ କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ଦଳର ଶୀର୍ଷ ନେତୃତ୍ୱ ଅନେକ ଆଶାୟୀଙ୍କ ଚେର କାଟିଥିବା ନେଇ ତୁହାକୁ ତୁହା ଅଭିଯୋଗ ହେଉଛି । ଯେଉଁ କାରଣରୁ ଜିଲ୍ଲାରେ ନେତାଙ୍କ ଦଳଡିଆଁ ଏବେ ଚର୍ଚ୍ଚାର ଶୀର୍ଷରେ ରହିଛି । ଏହିପରି ଭାବେ ଦଳରେ ଅଣଦେଖା ଅଭିଯୋଗ କରି ଦଳ ଛାଡ଼ିବା ସହିତ ଆଜି ବିଜେଡିରେ ସାମିଲ ହୋଇଛନ୍ତି ଜିଲ୍ଲାର ଅନେକ ବିଜେପି ଓ କଂଗ୍ରେସ ନେତା । ଆଜି ଭୁବନେଶ୍ୱରସ୍ଥିତ ଶଙ୍ଖଭବନଠାରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଲାଞ୍ଜିଗଡ ବିଧାନସଭା ଟିକେଟ ଆଶାୟୀ ଥିବା ବିଜେପି ନେତା ଚାଂଚେର ମାଝୀ, ଯୁବନେତା ରାଜେନ୍ଦ୍ର ମାଳୀ, ହରିହର କୁମାରଙ୍କ ସମେତ ଅନେକ ବିଜେପି କର୍ମୀ ଆଜି ବିଜେଡିରେ ସାମିଲ ହୋଇଥିବା ଜଣାପଡିଛି । ଚାଂଚେର ମାଝୀ ଲାଞ୍ଜିଗଡ ବିଧାନସଭା ଆସନରେ କଂଗ୍ରେସ ଦଳକୁ ସଂଗଠିତ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । କିନ୍ତୁ ଦଳ ତାଙ୍କୁ ଟିକେଟ ନଦେବାରୁ ନିଜ ସମର୍ଥକଙ୍କୁ ନେଇ ସେ ବିଜେପିରେ ଯୋଗ ଦେଇଥିଲେ । କିନ୍ତୁ ବିଜେପି ମଧ୍ୟ ନିରାଶ କରିବାରୁ ସେ ଦଳ ଛାଡି ଆଜି ବିଜେଡିରେ ସାମିଲ ହୋଇଥିବା ଜଣାପଡିଛି । ମାସକ ମଧ୍ୟରେ କଂଗ୍ରେସ, ବିଜେପି ଦେଇ ବିଜେଡିରେ ସାମିଲ ହୋଇଛନ୍ତି ଶ୍ରୀ ମାଝୀ । ସେହିପରି ବିଜେଡି, କଂଗ୍ରେସ, ସମୃଦ୍ଧ ଓଡିଶା, ପୁଣି କଂଗ୍ରେସ ବାଟ ଦେଇ ଏବେ ପୁଣି ଥରେ ଶଙ୍ଖ ଫୁଙ୍କିଛନ୍ତି ଆଦିବାସୀ ନେତା ପରମାନନ୍ଦ ମାଝୀ । ସେ ମଧ୍ୟ ଏଥର ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ଦଳରୁ ଆଶାୟୀ ଥିଲେ । କିନ୍ତୁ ଦଳ ତାଙ୍କୁ ନିରାଶ କରିବା ଅଭିଯୋଗ କରି ସେ ଦଳ ଛାଡିଛନ୍ତି । ସେହିପରି କଂଗ୍ରେସ ଦଳର ଜଣେ ନେତା ଓ ଯୁବ ସଂଗଠକ ତ୍ରିଲୋଚନ ପାଣିଗ୍ରାହୀ ଆଜି କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ଆଜି ଶଙ୍ଖ ଭବନଠାରେ ଅୟୋଜିତ ଏହି ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର ଓ କଳାହାଣ୍ଡି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ, ଡ. ପ୍ରିୟବ୍ରତ ମାଝୀ ସେମାନଙ୍କୁ ଦଳକୁ ସ୍ୱାଗତ କରିଥିଲେ ।