ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ : କାମ କରୁନି ମୋଦୀ ମ୍ୟାଜିକ୍ ; କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ହାଇ-ଭୋଲଟେଜ ପ୍ରଚାର ଫିକା ପଡ଼ିଲା


କଳାହାଣ୍ଡି,୦୫/୦୫-ସାରା ଦେଶରେ ନରେନ୍ଦ୍ର ମୋଦୀଙ୍କ ଲହରୀ ଚାଲିଥିବାବେଳେ ଓଡ଼ିଶାରେ ଶାସନ କ୍ଷମତାକୁ ଆସିବାକୁ ବିଜେପି ଏଥର ଜୋରଦାର କସରତ ଜାରି ରଖିଛି । ତେବେ କଳାହାଣ୍ଡି ଜିଲ୍ଲା ତଥା ଲାଞ୍ଜିଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ କିନ୍ତୁ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି । ନିର୍ବାଚନ ମଣ୍ଡଳୀର ଲାଞ୍ଜିଗଡ଼, ଥୁଆମୂଳ ରାମପୁର, ଜୟପାଟଣା ଓ ସଦର ବ୍ଲକର କିଛିକାଂଶରେ ଆଜି ପର୍ଯ୍ୟନ୍ତ ମୋଦୀ ମ୍ୟାଜିକର କାଣିଚାଏ ପ୍ରଭାବ ପଡିନଥିବାବେଳେ ଆଜି ବିଶ୍ୱନାଥପୁର ଓ ଲାଞ୍ଜିଗଡଠାରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ହାଇ-ଭୋଲଟେଜ ପ୍ରଚାର ମଧ୍ୟ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ତଥା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ସଂପୂର୍ଣ୍ଣ ଭାବେ ଫିକା ପଡିଯାଇଥିବା ଦେଖିବାକୁ ମିଳିଥିଲା । ଏପରିକି କେନ୍ଦ୍ରମନ୍ତ୍ରୀଙ୍କ ପାଇଁ ଆୟୋଜିତ ସଭାସ୍ଥଳକୁ ଲୋକଙ୍କୁ ଆଣିବାକୁ ଦଳୀୟ ନେତାମାନଙ୍କୁ ଗଳଦଘର୍ମ ହେବାକୁ ପଡିଥିଲା । ନିର୍ବାଚନ ମଣ୍ଡଳୀ ଅଞ୍ଚଳର ନେତା ଓ କର୍ମୀଙ୍କୁ ଲଗାତାର ଅଣଦେଖା କରାଯିବାର ପ୍ରତିବାଦରେ ଶହଶହ ଦଳୀୟ ନେତା ଓ କର୍ମୀ ବିଜେଡି ଓ କଂଗ୍ରେସ ଦଳରେ ସାମିଲ ହେଉଥିବାବେଳେ ବିଜେପି ପାଇଁ ଏବେ ତୃଣମୂଳ ସ୍ତରର ନେତା ଓ କର୍ମୀଙ୍କ ସଙ୍କଟ ଦେଖାଦେଇଛି । ଏଥିଯୋଗୁଁ କେନ୍ଦ୍ରମନ୍ତ୍ରୀଙ୍କ ହାଇ-ଭୋଲଟେଜ ପ୍ରଚାର କାର୍ଯ୍ୟକ୍ରମ ସତ୍ତ୍ୱେ ସଭାରେ ଦଳୀୟ କର୍ମୀ ଓ ଜନସାଧାରଣଙ୍କ ଅଭାବ ପରିଲକ୍ଷିତ ହୋଇଥିଲା । ସେହିପରି ବିଭିନ୍ନ ଅଞ୍ଚଳରୁ ଲୋକଙ୍କୁ ଡାକି ସେମାନଙ୍କୁ ଖାଇବାକୁ ଦେବାରେ ଅବ୍ୟବସ୍ଥା ଓ ବାଇକ ଶୋଭାଯାତ୍ରାରେ ସାମିଲ ବାଇକ ଆରୋହୀମାନଙ୍କୁ ମଧ୍ୟ ଅଣଦେଖା କରାଯାଇଥିବାରୁ ଦଳୀୟ କର୍ମୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖିବାକୁ ମିଳିଥିଲା । ବିଜେପି ପକ୍ଷରୁ ଆଜିର ନିର୍ବାଚନୀ ସଭା ଏକ ପ୍ରକାର ବିଫଳ ହୋଇଥିବାବେଳେ ଶତାଧିକ କର୍ମୀଙ୍କ ପୁଞ୍ଜିଭୁତ ଅସନ୍ତୋଷ ଦଳର ନିର୍ବାଚନ ପ୍ରଚାରକୁ ମଧ୍ୟ ପ୍ରଭାବିତ କରୁଥିବା ଚର୍ଚ୍ଚା ହେଉଛି । ସେହିପରି ଦଳୀୟ ନେତା ଓ କର୍ମୀ ତଥା ଜନସାଧାରଣଙ୍କ କ୍ରମାଗତ ଅସନ୍ତୋଷ ଦଳର ବିଧାୟକ ପ୍ରାର୍ଥୀ ରମେଶ ମାଝୀଙ୍କ ଉପରେ ସିଧାସଳଖ ପଡୁଥିବାବେଳେ ଦଳର ସାଂସଦ ପ୍ରାର୍ଥୀନୀଙ୍କ ଭୋଟ ହାର ମଧ୍ୟ ଏହାଦ୍ୱାରା ପ୍ରଭାବିତ ହୋଇପାରେ ବୋଲି ଆକଳନ କରାଯାଉଛି ।