ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ : ସୁବିଧାଜନକ ସ୍ଥିତିରେ ବିଜେଡି, କଂଗ୍ରେସ ପାଇଁ କଣ୍ଟା ସାଜିବେ ସ୍ୱାଧୀନ ପ୍ରାର୍ଥୀ ଫୁଲମେ ମାଝୀ, ନିରୁପାୟ ବିଜେପି


କଳାହାଣ୍ଡି,୦୬/୦୫-ଆହୁରି ମାତ୍ର ସପ୍ତାହେ ବାକି ରହିଛି ନିର୍ବାଚନ । ନିଜନିଜ ଦଳ ଓ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଅଣ୍ଟା ଭିଡି ଲାଗିପଡିଛନ୍ତି ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ । ତେବେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବିଧାନସଭା କ୍ଷେତ୍ରରେ ଶାସକ ବିଜେଡି ଏକ ପ୍ରକାର ସୁବିଧାଜନକ ସ୍ଥିତିରେ ଥିବାବେଳେ କଂଗ୍ରେସ ଓ ବିଜେପି କିନ୍ତୁ ଅଡୁଆ ପରିସ୍ଥିତିରେ ପଡିଛନ୍ତି । ସ୍ୱାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିବା ମହିଳା ସମାଜସେବୀ ଫୁଲମେ ମାଝୀ ଉଭୟ କଂଗ୍ରେସ ଓ ବିଜେପିର ନିଦ ହଜାଇ ଦେଇଥିବାବେଳେ କଂଗ୍ରେସର ଭୋଟହାର କମାଇବା ସହିତ ଦଳ ଓ ପ୍ରାର୍ଥୀ ପାଇଁ କଣ୍ଟା ସାଜିବେ ବୋଲି କୁହାଯାଉଛି । ସେହିପରି କେନ୍ଦ୍ର ଶାସନରେ ଥିବା ବିଜେପି ଏଥର ନିର୍ବାଚନ ପ୍ରଚାର ଅଭିଯାନକୁ ଜୋରଦାର କରିବା ସତ୍ୱେ ସ୍ୱାଧୀନ ପ୍ରାର୍ଥୀ ଫୁଲମେ ମାଝୀଙ୍କ ପ୍ରଚାର ଆଗରେ ପଦ୍ମ ଝାଉଁଳି ପଡୁଥିବା ଅନୁମାନ କରାଯାଉଛି । ନିଶ୍ଚିତ ବିଜୟ ଆଶା କରି କଂଗ୍ରେସର ହାତ ଧରିଥିବା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ କିଛି ଦିନ ପୂର୍ବରୁ ପ୍ରଚାର ଅଭିଯାନରେ ବେଶ୍ ଆଗେଇ ଯାଇଥିବାବେଳେ ଏବେ ସ୍ୱାଧୀନ ପ୍ରାର୍ଥୀ ଫୁଲମେ ମାଝୀ ତାଙ୍କୁ କଡ଼ା ଟକ୍କର ଦେଉଥିବା ଦେଖିବାକୁ ମିଳିଛି । ଫୁଲମେ ଲାଞ୍ଜିଗଡ଼ ବ୍ଲକର ସମସ୍ତ ୨୬ ଗୋଟି ପଞ୍ଚାୟତରେ ନିଜର ପ୍ରଚାର ଅଭିଯାନକୁ ଜୋରଦାର କରିଥିବାବେଳେ ଥୁଆମୂଳ ରାମପୁର, ଜୟପାଟଣା ଓ ସଦର ବ୍ଲକର କେତେକ ଅଞ୍ଚଳରେ ତାଙ୍କର ପ୍ରଭାବ ବିସ୍ତାର କରି ଚାଲିଛନ୍ତି । ଫୁଲମେଙ୍କ ପ୍ରଚାର ହାୱାରେ କଂଗ୍ରେସ ମହଲରେ ହଇଚଇ ସୃଷ୍ଟି ହୋଇଥିବାବେଳେ ବିଜେପି ମହଲରେ ଭାଳେଣି ପଡିଲାଣି । ଏହି ସମୟ ମଧ୍ୟରେ ବିଗତ ୨୫ ବର୍ଷର ବିକାଶମୂଳକ କାର୍ଯ୍ୟକୁ ଆୟୁଧ କରି ବିଜେଡି ମଇଦାନକୁ ଓହ୍ଲାଇଥିବାବେଳେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ଦିଶାରୀ ଓ ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଏବେ ପ୍ରଚାର ଅଭିଯାନରେ ଆଗରେ ଅଛନ୍ତି । ଗାଁ ଗାଁ ଓ ଘରଘର ବୁଲି ସେମାନେ ଭୋଟଭିକ୍ଷା କରୁଥିବାବେଳେ ତାଙ୍କ ପ୍ରତି ଲୋକଙ୍କ ସମର୍ଥନ ମଧ୍ୟ ବଢିବାରେ ଲାଗିଛି । ପୂର୍ବରୁ ଦଳର ଷ୍ଟାର ପ୍ରଚାରକ କାର୍ତିକ ପାଣ୍ଡିୟାନ ଓ ଆଜି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତର ପ୍ରଭାବ ମଧ୍ୟ ଦଳ ଉପରେ ପଡିବ ବୋଲି ଆଲୋଚନା ହେଉଛି । ଅପରପକ୍ଷରେ ବିଜେପିର ବିଧାୟକ ପ୍ରାର୍ଥୀ ଏଥର ନିଜର ପ୍ରଚାର ଅଭିଯାନକୁ ଆରମ୍ଭରୁ ଢିଲା କରିଥିବାବେଳେ ଦଳର ସାଂସଦ ପ୍ରାର୍ଥୀନୀ ମାଳବିକା କେଶରୀ ଦେଓଙ୍କ ଉପରେ ମଧ୍ୟ ଏହାର ନକରାତ୍ମକ ପ୍ରଭାବ ପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି ।