ପୁଲୱାମା ଘଟଣାରେ ପୂର୍ବତନ ରାଜ୍ୟପାଳଙ୍କ ଚାଞ୍ଚଲ୍ୟକର ଖୁଲାସା, ୪୦ ଯବାନଙ୍କ ସହିଦ ପାଇଁ ଦାୟୀ ମୋଦୀ ସରକାର


ନୂଆଦିଲ୍ଳୀ: ୨୦୧୯ ପୁଲୱାମା ଘଟଣାରେ ଜାମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ୨୦୧୯ ପୁଲୱାମାରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ(ସିଆରପିଏଏଫ) ଉପରେ ହୋଇଥିବା ଆତଙ୍କୀ ଆକ୍ରମଣ ପାଇଁ କେନ୍ଦ୍ର ସରକାରଙ୍କୁ ସେ ଦାୟୀ କରିଛନ୍ତି । ସରକାରଙ୍କ ଗୁଇନ୍ଦା ବିଫଳତା କାରଣରୁ ୪୦ ଯବାନଙ୍କ ପ୍ରାଣ ଚାଲିଗଲା ବୋଲି ସତ୍ୟପାଲ ମଲିକ କହିଛନ୍ତି ।

ସିଆରପିଏଫ ନିଜ ଯବାନଙ୍କ ସ୍ଥାନାନ୍ତର ପାଇଁ ୫ ବିମାନ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ମାଗିଥିଲେ । କାରଣ ଏତେ ସଂଖ୍ୟ।।ରେ ଯବାନଙ୍କୁ ସଡକ ପଥରେ ନେବା ଉଚିତ୍ ନଥିଲା । ଗୃହ ମନ୍ତ୍ରଣାଳୟକୁ ଏ ବିଷୟରେ ପଚାରିଥିଲେ ହେଁ ରାଜନାଥ ସିଂ ମନା କରିଦେଇଥିଲେ । ଯଦି ମୋତେ ପଚାରିଥାନ୍ତେ ତେବେ ମୁଁ ଯେମିତି ହେଲେ ୫ ବିମାନର ବ୍ୟବସ୍ଥା କରି ଦେଇଥାନ୍ତି ବୋଲି ପୂର୍ବତନ ରାଜ୍ୟପାଳ କହିଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି ଘଟଣା ଦିନ ସନ୍ଧ୍ୟାରେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲି ଯେ ଆମ ଭୁଲ୍ ପାଇଁ ଏହା ଘଟିଛି । ଯଦି ଆମେ ବିମାନ ଦେଇଥାନ୍ତେ ଘଟଣାକୁ ଏଡାଇ ଦେଇପାରିଥାନ୍ତେ । ଏହା ଶୁଣି ପ୍ରଧାନମନ୍ତ୍ରୀ ଚୁପ୍ ରହିବାକୁ ମୋତେ କହିଥିଲେ । ଏନଏସଏ ଅଜିତ ଡୋଭାଲ ମଧ୍ୟ ଏ ବିଷୟରେ ଚୁପ୍ ରହିବାକୁ କହିଥିଲେ । ଏବେ ସମସ୍ତ ଦୋଷ ପାକିସ୍ତାନ ଆଡକୁ ଯିବ । ତେଣୁ ମୋତେ ନିରବ ରହିବାକୁ କୁହାଯାଇଥିଲା ବୋଲି ମଲିକ କହିଛନ୍ତି ।

ଘଟଣା ଦିନର ବିବରଣୀ ଦେଇ ସେ କହିଛନ୍ତି, ପୁଲୱାମା ଆକ୍ରମଣ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟାସନାଲ କର୍ବେଟ ପାର୍କରେ କିଛି ସୁଟିଂ କରାଉଥିଲେ । ସେଠାରେ ଠିକରେ ଫୋନ ଚାଲୁନଥିବାରୁ ସେ ବାହାରକୁ ଆସି କୌଣସି ଢାବାରୁ ମୋତେ କଲ୍ କରିଥିଲେ । ଘଟଣା ବିଷୟରେ ମୋତେ ପଚାରିଥିଲେ ଏବଂ ବିସ୍ତୃତ ସୂଚନା ଦେଇଥିଲି । କିନ୍ତୁ ମୋତେ ସର୍ବଦା ନିରବ ରହିବାକୁ କୁହାଗଲା ।

କେନ୍ଦ୍ର ଗୃହମନ୍ତ୍ରଣାଳୟ ଏବଂ ସିଆରପିଏଫଙ୍କ ଅବହେଳା ଓ ଅକ୍ଷମତାର ପରିଣାମ ଥିଲା ପୁଲୱାମା ଘଟଣା । ମୁଁ ଯଦି ଗୃହମନ୍ତ୍ରୀ ଥାଆନ୍ତି ଘଟଣା ପାଇଁ ନିଜକୁ ଦାୟୀ କରିଥାନ୍ତି । ପଦରୁ ଇସ୍ତଫା ଦେଇ ଦେଇଥାନ୍ତି । ଦେଶ ଇତିହାସରେ ଏହା ବହୁତ ବଡ ଦୁଃଖଦ ଘଟଣା । ଏହା ସମ୍ପୁର୍ଣ୍ଣ ଭାବେ ଇଣ୍ଟେଲିଜେନ୍ସ ବିଫଳତା । ସରକାର ଘଟଣା ବିଷୟରେ ସବୁ କିଛି ଜାଣିଛନ୍ତି । ମାତ୍ର ଦେଶବାସୀ ଜାଣନ୍ତୁ ସରକାର ତାହା ଚାହାନ୍ତି ନାହିଁ ବୋଲି ଜାମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ କହିଛନ୍ତି ।