ବିଜେପିରେ ମିଶୁଥିବା ଲୋକ ରାଜନୈତିକ ଆତ୍ମହତ୍ୟା କରୁଛନ୍ତି: ସଞ୍ଜୟ ରାଉତ


ମୁମ୍ବାଇ: ପୁଣି ଥରେ ସରଗରମ ହୋଇ ଉଠିଛି ମହାରାଷ୍ଟ୍ର ରାଜନୀତି । ଗୋଟିଏ ପଟେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ମୁଖ୍ୟ ଶରଦ ପାୱାର ବିରୋଧୀଙ୍କ ଏକତାକୁ ନେଇ ଲଗାତାର ସକ୍ରିୟ ଅଛନ୍ତି । ଅନ୍ୟପଟେ ଶିବସେନା ପରି ଏନସିପିରେ ମଧ୍ୟ ଫାଟ ସୃଷ୍ଟି ହୋଇଥିବା କୁହାଯାଉଛି ।

ଉଦ୍ଧବ ଗୋଷ୍ଠୀର ଶିବସେନା ନେତା ସଞ୍ଜୟ ରାଉତଙ୍କ କହିବା କଥା ଶରଦ ପାୱାର ଯେବେ ଆମକୁ ଭେଟିଥିଲେ ବିଜେପି ସହ କଦାପି ହାତ ମିଳାଇବେ ନାହିଁ ବୋଲି କହିଥିଲେ । ଶରଦ ପାୱାର ଆମ ସହ ହାତ ମିଳାଇବା ପରେ ବିଜେପି ସିବିଆଇ, ଇଡି ଏବଂ ପୋଲିସର ଭୟ ଦେଖାଇ ଚାପ ପକାଇ ଶିବସେନାକୁ ଖଣ୍ଡ ଖଣ୍ଡ କରି ଦେଲା । ଏବେ ଠିକ ସେହିଭଳି ଏନସିପିକୁ ଖଣ୍ଡ କରିବାକୁ ଚେଷ୍ଟା କରାଯାଉଛି । ନେତାଙ୍କୁ ଧମକ ଦିଆଯାଉଛି, ମାତ୍ର ପୁରା ପାର୍ଟି ବିଜେପିରେ ମିଶିବ ନାହିଁ । ଯିଏ ମିଶିବ ଏହା ତାଙ୍କର ବ୍ୟକ୍ତିଗତ ନିର୍ଣ୍ଣୟ ହେବ । ଏକ ପ୍ରକାର କହିବାକୁ ଗଲେ ବିଜେପିରେ ମିଶୁଥିବା ଲୋକ ରାଜନୈତିକ ଆତ୍ମହତ୍ୟା କରୁଛନ୍ତି ବୋଲି ସଞ୍ଜୟ ରାଉତ କହିଛନ୍ତି ।

ଏନସିପିର ବରିଷ୍ଠ ନେତା ଅଜିତ ପାୱାର ବିଜେପି ସହ ହାତ ମିଳାଇବା ନେଇ କଳ୍ପନା ଜଳ୍ପନା ଲାଗି ରହିଛି । କିନ୍ତୁ ଅଜିତ ପାୱାର ଅଟକଳଙ୍କୁ ନିରାଧାର ବୋଲି କହିଛନ୍ତି । ଅମିତ ଶାହାଙ୍କ ସହ ତାଙ୍କାର କୌଣିସ ବୈଠକ ହୋଇନଥିବା ସେ କହିଛନ୍ତି । ଅଜିତ ପାୱାର ମହାରାଷ୍ଟ୍ରରେ ବିରୋଧୀ ଦଳର ଜଣେ ବଡ ନେତା ।