ଶବ ବୋଲି ତଦନ୍ତ କଲା ପୁଲିସ, ଅଖାରୁ ବାହାରିଲା ତମ୍ବା ତାର


କଳାହାଣ୍ଡି,୨୪/୦୫- ଅଖା ଭିତରେ ବନ୍ଧା ହୋଇ ପଡିଛି ଶବ । ସକାଳୁ ସକାଳୁ ଶାଗ ତୋଳିବାକୁ ଯାଇଥିବାବେଳେ କିଛି ମହିଳା ଏହା ଦେଖି ଗାଁ ଲୋକଙ୍କୁ ଖବର ଦେଲେ । ଏପରି ଏକ ହତବାକ କଲା ଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନାଂଚଳରେ । ଲାଞ୍ଜିଗଡ ଥାନା ଛତ୍ରପୁର ପଂଚାୟତ ଟାଙ୍ଗନକଣା-ବନ୍ଧପାରି ରାସ୍ତା ଟାଙ୍ଗନକଣା ଡ୍ୟାମ୍ ନିକଟସ୍ଥ ରାସ୍ତା କଡର ଏକ ଗଛ ବୁଦାମୂଳେ ବନ୍ଧା ହୋଇ ଏକ ଅଖା ପଡିଥିବାବେଳେ ପାଖରେ ଦୁଇଟି ଏୟାରବ୍ୟାଗ ମଧ୍ୟ ପଡିଥିଲା । ଆଜି ସକାଳେ ଟାଙ୍ଗନକଣା ଗାଁର କିଛି ମହିଳା ଶାଗ ତୋଳିବାକୁ ଯାଇଥିବାବେଳେ ବୁଦା ଉହାଡରେ ପଡିଥିବା ଏହି ଅଖା ଓ ପାଖରେ ରକ୍ତଛିଟା ଦେଖି ଭୟରେ ଗାଁକୁ ପଳାଇ ଆସିଥିଲେ । ଏହାପରେ ଗାଁ ଲୋକଙ୍କଠାରୁ ଖବର ପାଇ ଘଟଣାସ୍ଥଳରେ ପହଂଚିଥିଲା ଲାଞ୍ଜିଗଡ ପୁଲିସ । ପୁଲିସ ପହଂଚିବା ପରେ ଛାନବିନ ଆରମ୍ଭ କରିଥିଲା । ତେବେ ସନ୍ଦେହ ବଳବତ୍ତର ହେବାରୁ ଭବାନୀପାଟଣାରୁ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁରର ସହାୟତା ନିଆଗଲା । ସହାୟତା ପାଇଁ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ବିଶ୍ୱନାଥପୁର ପୁଲିସ । ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ପହଂଚିବା ପରେ ଅଖା ବସ୍ତା ଖୋଲାଯିବାରୁ ଯାହା ବାହାରିଲା ପୁଲିସର ଆଖି ଖୋସି ହୋଇଗଲା । କାରଣ ଅଖା ଭିତରେ ଥିଲା ବେଦାନ୍ତ ଲିମିଟେଡରେ ବ୍ୟବହୃତ ହେଉଥିବା ପ୍ରାୟ ୨୦ କିଲୋଗ୍ରାମ ଓଜନର ଉଚ୍ଚ କ୍ଷମତା ସଂପନ୍ନ ବିଦ୍ୟୁତ ପରିବାହୀ ତମ୍ବାତାର, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ପଚାଶ ହଜାର ଟଙ୍କା ହେବ । ତେବେ ତମ୍ବା ତାର ଉଦ୍ଧାର ପରେ ପୁଲିସ କିଛିଟା ଆଶ୍ୱସ୍ତ ହେଲା ସତ କିନ୍ତୁ ପାଖରେ ପଡିଥିବା ରକ୍ତଛିଟାକୁ ନେଇ ଆହୁରି ସନ୍ଦେହ ବଢିଲା । ଶେଷରେ ଆଖପାଖରେ ଖୋଜାଖୋଜି ପରେ ପ୍ରାୟ ତିନିଶହ ମିଟର ଲମ୍ବର ଖୋଲା ଆଲୁମିନିୟମ ତାର ପୁଲିସ ହାତରେ ଲାଗିଥିଲା । ପାଖରେ ଥିବା ୧୧ କେଭି ବିଦ୍ୟୁତ ତାରରୁ ଏହି ତାରକୁ ସଂଯୋଗ କରି ଆଖପାଖରେ ବନ୍ୟଜନ୍ତୁ ଶିକାର କରିବା ପାଇଁ ତାର ବିଛାଯାଇଥିବା ଜଣାପଡିଥିଲା । ଏପରିକି ବିଦ୍ୟୁତ ତାର ବିଛାଇ ବନ୍ୟଜନ୍ତୁ ଶିକାର କରିବା ଓ ତମ୍ବା ତାର ଚୋରି କରିବା ଗୋଟିଏ ଗୋଷ୍ଠୀ କିମ୍ବା ଏକାଧିକ ଗୋଷ୍ଠୀର କାମ ତାହା ଜଣା ପଡୁନଥିଲେ ହେଁ ଏକ ରହସ୍ୟ ଉପରୁ ପରଦା ଉଠାଇଥିଲା ପୁଲିସ । ଏସବୁକୁ ନେଇ ପୁଲିସର ତଦନ୍ତ ଜାରି ରହିଥିବାବେଳେ ତମ୍ବା ଚୋର ଓ ବନ୍ୟଜନ୍ତୁ ଶିକାରୀଙ୍କ ଉପରେ ଖୁବ୍ ଶୀଘ୍ର ଚଢଉ ହେବ ବୋଲି ପୁଲିସ ସୂଚନା ଦେଇଛି ।