ବିଜେଡି ବିଧାୟକଙ୍କୁ ଗାଳି ଦେଇ ବୁଥରୁ ତଡ଼ି ଦେଲେ ଭୋଟର !


ନିଆଳି: ଓଡ଼ିଶାରେ ଶେଷ ତଥା ଚତୁର୍ଥ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ନିର୍ବାଚନକୁ ନେଇ ବିଭିନ୍ନ ସ୍ଥାନରୁ ବିଭିନ୍ନ କଥା ପଦାକୁ ଆସିଛି । ତେବେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ନିଆଳି ବିଧାୟକ ତଥା ବିଜେଡିର ବିଧାୟକ ପ୍ରାର୍ଥୀ ପ୍ରମୋଦ ମଲ୍ଲିକ । ଆଜି ଶେଷ ପର୍ଯ୍ୟାୟ ନିର୍ବାଚନ ବେଳେ ସେ ବୁଥ ପରିଦର୍ଶନ ପାଇଁ ଯାଇ ଏମିତି କଥା କହିଦେଲେ ଯେ, ଲୋକେ ତାଙ୍କୁ ବାଳିଗୁଲଜ କରି ତଡ଼ି ଦେଇଥିବା ଜଣାପଡ଼ିଛି । ଘଟଣା ଘଟିଛି କଣ୍ଟାପଡ଼ା ବ୍ଲକ୍ ଡିମିରି ସ୍କୁଲ୍ ୧୦୯ ନମ୍ବର ବୁଥରେ ।
ମିଳିଥିବା ସୂଚନା ଅନୁସାରେ, ପ୍ରମୋଦ ମଲ୍ଲିକ ତିନି ଥର ବିଧାୟକ ହୋଇଛନ୍ତି । କିନ୍ତୁ ଅଞ୍ଚଳରେ କିଛି କାମ କରି ନାହାନ୍ତି । ତେଣୁ ଲୋକେ ତାଙ୍କ ଉପରେ ଅସନ୍ତୁଷ୍ଟ ଥିଲେ । ଆଜି ପ୍ରାୟ ସାଢ଼େ ୧୨ଟା ବେଳେ ସେ ୧୦୯ ନମ୍ବର ବୁଥକୁ ପରିଦର୍ଶନରେ ଯାଇଥିଲେ । ସେଠାରେ ସେ କହିଥିଲେ, ‘ସବୁତ ମୋ ଲୋକ, ମୋତେ ଟିକେ ସମର୍ଥନ କରିବ’ । ତେବେ ଏହା ତାଙ୍କ ପାଇଁ ବୁମେରାଂ ହୋଇଥିଲା । ବିଧାୟକଙ୍କ ପାଟିରୁ ଏତିକି ଶୁଣିବା ପରେ ଭୋଟ ଦେବାକୁ ସେଠାରେ ଉପସ୍ଥିତ ଲୋକଙ୍କ ରାଗ ପଞ୍ଚମ ହୋଇ ଯାଇଥିଲା । ସେମାନେ ବିଧାୟକଙ୍କୁ ଗାଳିଗୁଲଜ କରିବା ଆରମ୍ଭ କରି ଦେଇଥିଲେ । ଏହା ପରେ ସେ ବୁଥ୍ରୁ ବାହାରି ଯାଇଥିଲେ ।
ବିଧାୟକଙ୍କୁ ଲୋକେ ଗାଳି କରିବା ବେଳେ ତାଙ୍କର କିଛି ମୁଷ୍ଟିମେୟ ସମର୍ଥକ ବିରୋଧ କରିଥିଲେ । ଫଳରେ କିଛି ସମୟ ପାଇଁ ଉତ୍ତେଜନାମୂଳକ ସ୍ଥିତି ଉତ୍ପନ୍ନ ହୋଇଥିଲା । ତେବେ ପୋଲିସ୍ ଆସିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା । ବିଧାୟକ ସେଠାରୁ ଚାଲି ଯାଇଥିଲେ । ସେହିପରି କଣ୍ଟାପଡ଼ା ବ୍ଲକ ବ୍ରାହ୍ମଣବାଟି ଓ ନିଆଳି ବ୍ଲକ କୁଳଶ୍ରୀରେ ମଧ୍ୟ ପ୍ରମୋଦ ମଲ୍ଲିକଙ୍କୁ ବିରୋଧ କରିବା ସହ ତାଙ୍କୁ ବୁଥ୍ ଭିତରକୁ ଯିବାକୁ ଦେଇ ନଥିଲେ ।