କେନ୍ଦ୍ରାପଡାରୁ ବୈଜୟନ୍ତଙ୍କୁ ମିଳିବ କି ଟିକେଟ୍ ? ରାଜ୍ୟ ରାଜନୀତିରେ କେତେ ସୁରକ୍ଷିତ ନେତାଙ୍କ ଭବିଷ୍ୟତ…


କେନ୍ଦ୍ରାପଡା: ୨୦୧୯ ଲୋକସଭା ନିର୍ବାଚନରେ ଓଡିଶାରେ ସବୁଠୁ ଚର୍ଚ୍ଚିତ ଆସନା ରହିଥିଲା କେନ୍ଦ୍ରାପଡା । କାରଣ ମଇଦାନରେ ଥିଲେ ଅନୁଭବୀ ତଥା ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା । ସେଥର ସେ ବିଜୁ ଜନତା ଦଳ ନୁହେଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ମଇଦାନରେ ଥିଲେ । ଆଉ ଏହି ଆସନ ବିଜେଡିର ଗଡ ରହିଥିଲା । ଉଭୟ ବୈଜୟନ୍ତ ଏବଂ ବିଜେଡି ପାଇଁ ସମ୍ମାନର ବିଷୟ ଥିଲା ୨୦୧୯ ନିର୍ବାଚନ । ନିର୍ବାଚନରେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ବାଜିମାତ୍ କରିଥିଲେ । ଏବେ ୨୦୨୪ ଲୋକସଭା ପାଇଁ ସମରସଜ୍ଜା ଆରମ୍ଭ ହେଲାଣି । ପୁଣି ଥରେ ସଭିଙ୍କ ନଜର କେନ୍ଦ୍ରାପଡା ଉପରେ ରହିବ । ଜନତାଙ୍କ ମନରେ ଅନେକ ପ୍ରଶ୍ନ, କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରୁ କେଉଁ ଦଳ କାହାକୁ ପ୍ରାର୍ଥୀ କରିବ ? କଣ ବିଜେଡି ଅନୁଭବ ମହାନ୍ତିଙ୍କୁ ମଇଦାନକୁ ଓହ୍ଲାଇବ ? ଏଠାରୁ ଦୁଇ ଦୁଇ ଥର ସାଂସଦ ରହିଥିବା ବୈଜୟନ୍ତଙ୍କୁ ବିଜେପି ପ୍ରାର୍ଥୀ କରିବ କି ?

୨୦୧୮ରେ ବିଜେଡିରୁ ଇସ୍ତଫା ଦେଇ ବୈଜୟନ୍ତ ୨୦୧୯ ନିର୍ବାଚନ ଠିକ୍ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ । ପାର୍ଟି ତାଙ୍କୁ କେନ୍ଦ୍ରାପଡାରୁ ପ୍ରାର୍ଥୀ କରିଥିଲା । ତେବେ ଅପ୍ରତ୍ୟାଶିତ ଭାବେ ସେ ଅଭିନେତାରୁ ନେତା ପାଲଟିଥିବା ଅନୁଭବ ମହାନ୍ତିଙ୍କଠୁ ପରାଜିତ ହୋଇଥିଲେ । ବର୍ତମାନ ସେ ବିଜେପିର ରାଷ୍ଟ୍ରୀୟ ଉପସଭାପତି ରହିବା ସହ ଦିଲ୍ଲୀର ପ୍ରଭାରୀ ଅଛନ୍ତି । ଜାତୀୟ ରାଜନୀତିରେ ସକ୍ରିୟ ଥିବା ବୈଜୟନ୍ତ କିନ୍ତୁ ଓଡିଶା ରାଜନୀତିରୁ ଦୂରେଇ ରହିଛନ୍ତି । ୨୦୨୪ ନିର୍ବାଚନକୁ ପାଖାପାଖି ଗୋଟିଏ ବର୍ଷ ସମୟ ବାକି ରହିଥିବା ବେଳେ ଏବେଠୁ ରଣନୀତି ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି । ବୈଜୟନ୍ତ କେନ୍ଦ୍ରାପଡା ନା ଅନ୍ୟ କେଉଁ ଆସନରୁ ଲଢିବେ ସେ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି । ୨୦୧୯ରେ ଅନୁଭବଙ୍କଠୁ ସେ ୨ ଲକ୍ଷରୁ ଉର୍ଦ୍ଧ୍ୱ ଭୋଟରେ ହାରିବା ସଭିଙ୍କୁ ଚକିତ କରିଥିଲା ।

ଏହି ଅନୁଭବୀ ନେତାଙ୍କ ସହ ବିଜେଡିର ସଂପର୍କ ଭିନ୍ନ । ସେଥିପାଇଁ ବିଜେଡି ୨୦୧୯ରେ ବୈଜୟନ୍ତଙ୍କୁ ହରାଇବା ପାଇଁ ପ୍ରାଣପଣେ ଚେଷ୍ଟା କରିଥିଲା । ବିଜେପି ମଧ୍ୟ ତାଙ୍କୁ ସେତେ ଗୁରୁତ୍ୱ ଦେଇନଥିଲା । ସେବେଠୁ ନେଇ ଆଜି ପର୍ଯ୍ୟନ୍ତ ସାଂପ୍ରତିକ ଘଟଣାବଳୀକୁ ଦେଖିଲେ ରାଜ୍ୟ ବିଜେପି ଏବଂ ବୈଜୟନ୍ତଙ୍କ ମଧ୍ୟରେ ସଂପର୍କ ସେତେ ଗଭୀର ନୁହେଁ । ତାଙ୍କୁ ନେଇ ରାଜ୍ୟ ୟୁନିଟ୍ ସେତେ ତତ୍ପର ନଥିବା ଭଳି ପ୍ରତୀତମାନ ହୁଏ । ସେଥିପାଇଁ ରାଜ୍ୟ ରାଜନୀତିରେ ତାଙ୍କ ଭବିଷ୍ୟତ କେତେ ଉଜ୍ଜ୍ୱଳ ତାହା ବିରାଟ ବଡ ପ୍ରଶ୍ନ । କିନ୍ତୁ କେନ୍ଦ୍ରୀୟ ରାଜନୀତିରେ ଏହି ଅନୁଭବୀ ନେତାଙ୍କ ଉପସ୍ଥିତି ରହିଛି । ହାଇକମାଣ୍ଡଙ୍କ ଶୁଭ ଦୃଷ୍ଟିରେ ଥିବାରୁ ତାଙ୍କୁ ଦେଶର ରାଜଧାନୀ ଦିଲ୍ଳୀ ଭଳି କେନ୍ଦ୍ରଶାସିତ ଅଂଚଳର ପ୍ରଭାରି ଦାୟିତ୍ୱ ମିଳିଛି । କିନ୍ତୁ ୂ ନିଜର ନିର୍ବାଚନୀ ମଣ୍ଡଳୀ କେନ୍ଦ୍ରାପଡାରେ ତାଙ୍କର ରାଜନୈତିକ ଭବିଷ୍ୟତ କେତେ ଉଜ୍ଜ୍ୱଳ ରହିଛି ତାହା ଆଗାମୀ ସମୟରେ ଜଣା ପଡିବ ।

ସୂଚନାଯୋଗ୍ୟ ବୈଜୟନ୍ତ ୨୦୦୯ ଏବଂ ୨୦୧୪ ବିଜେଡି ଟିକେଟରେ ନିର୍ବାଚନ ଜିତି ଲୋକସଭାକୁ ନିର୍ବାଚିତ ହୋଇଥିଲେ । ତେବେ ୨୦୧୯ ନିର୍ବାଚନ ପରଠୁ ସମୀକରଣ ବଦଳି ଯାଇଛି । ଯଦି ୨୦୨୪ ନିର୍ବାଚନରେ ସେ ବିଜୟଲାଭ କରନ୍ତି ତେବେ ଆଗାମୀ ରାଜନୈତିକ ପଥ ସୁଗମ ହେବ ନଚେତ୍ ଏହି ପୁରୁଖା ନେତାଙ୍କୁ ପ୍ରମାଦ ଗଣିବାକୁ ପଡିପାରେ ବୋଲି ରାଜନୈତିକ ସମୀକ୍ଷକ ମତ ପ୍ରକାଶ କରିଛନ୍ତି ।