ବନ୍ଧୁକ ମୁନରେ ଜନସେବା କେନ୍ଦ୍ର ମାଲିକଙ୍କଠାରୁ ଏକ ଲକ୍ଷ ଟଙ୍କା ଓ ଲାପଟପ୍ ଲୁଟ


ଭଦ୍ରକ: ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅନ୍ତର୍ଗତ ଚକପୁରରେ ବନ୍ଧୁକ ମୁନରେ ଲୁଟ କରାଯାଇଛି । ଲୁଟର ଶିକାର ହୋଇଛନ୍ତି ଜଣେ ଜନସେବା କେନ୍ଦ୍ରର ମାଲିକ । ଦୁର୍ବୃତ୍ତମାନେ ତାଙ୍କ ପାଖରୁ ନଗଦ ଏକ ଲକ୍ଷ ଟଙ୍କା ଓ ଗୋଟିଏ ଲାପଟପ୍ ଲୁଟି ନେଇଛନ୍ତି । ଏନେଇ ଜନସେବା କେନ୍ଦ୍ର ମାଲିକ ସାବରଙ୍ଗ ଥାନାରେ ଅଭିଯୋଗ କରିଛନ୍ତି ।

ଗତକାଲି ରାତି ପ୍ରାୟ ୯ଟା ସମୟରେ ଜନସେବା କେନ୍ଦ୍ର ମାଲିକ ଓମ୍ ପ୍ରକାଶ ସାହୁ ଦୋକାନ ବନ୍ଦ କରି ସ୍କୁଟି ଯୋଗେ ଚକପୁର ଘରକୁ ଫେରୁଥିଲେ । ଏହି ସମୟରେ ଦୁଇଟି ବାଇକରେ ୪ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ବାଟରେ ଅଟକାଇ ଥିଲେ । ଓମ୍ ପ୍ରକାଶଙ୍କ ନିକଟରେ ଥିବା ନଗଦ ୧ ଲକ୍ଷ ଟଙ୍କା ଓ ଲାପଟପ୍‌ ଦେବାକୁ କହିଥିଲେ । ଓମ୍ ପ୍ରକାଶ ଦେବାକୁ ଅରାଜି ହେବାରୁ ଦୁର୍ବୃତ୍ତମାନେ ବନ୍ଧୁକ ଓ ଛୁରୀ ଦେଖାଇ ଭୟଭୀତ କରିଥିଲେ । ପରେ ତାଙ୍କୁ ପାଖରୁ ଟଙ୍କା ଓ ଲାପଟପ୍‌ ନେଇ ଚମ୍ପଟ ମାରିଥିଲେ ।

ଓମ୍ ପ୍ରକାଶ ଘଟଣା ସଂପର୍କରେ ସାବରଙ୍ଗ ବଜାରରେ ଥିବା ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ । ସ୍ଥାନୀୟ ଲୋକେ ଦୁର୍ବୃତ୍ତମାନଙ୍କୁ କାବୁ କରିବା ପାଇଁ ଉଦ୍ୟମ କରିଥିଲେ । ହେଲେ ଦୁର୍ବୃତ୍ତମାନେ ଦୁଇ ରାଉଣ୍ଡ ଫାଙ୍କା ଗୁଳିଚାଳନା କରି ସେଠାରୁ ଚମ୍ପଟ ମାରିଥିଲେ । ସାବରଙ୍ଗ ଥାନା ପୋଲିସ ଓ ଭଦ୍ରକ ଏସଡିପିଓ ଘଟଣାର ତଦନ୍ତ କରୁଛନ୍ତି ।