ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ସ୍ଥିତ ପାତାଳିଶ୍ରୀକ୍ଷତ୍ର ଠାରେ ବହୁ ଆଡମ୍ବର ସହକାରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଓ ଗଜାନନ ବେଶ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ଛଳିଆ ପାହାଡ଼ ସ୍ଥିତ ସୁନା କୂଅରୁ ୫୪ ଜଣ ଭାରୁଆଙ୍କଦ୍ଵାରା ସ୍ନାନ ଜଳ ସ୍ନାନବେଦୀକୁ ବିଜେ ହୋଇଥିଲେ । ଆଜି ପ୍ରଥମେ ଦ୍ଵାର ଫିଟା , ସୂର୍ଯ୍ୟପୂଜା , ଦ୍ଵାର ପାଦପୂଜା , ମଙ୍ଗଳ ଆଳତୀ ଖେଚୁଡ଼ି ଭୋଗ ପରେ ବେଶ ମଙ୍ଗଳାର୍ପଣ ତାପରେ ଧାଡ଼ି ପହଣ୍ଡିରେ ଶ୍ରୀଜିଉଙ୍କ ସ୍ନାନବେଦୀକୁ ବିଜେ କରିଥିଲେ । ସେଥିରେ ପୂଜା ହୋମ ଓ ଜଳ ବିଶୁଦ୍ଧି କରିବାପରେ ଶ୍ରୀ ବଳଭଦ୍ରଙ୍କ ଠାରେ ୩୩ କୁମ୍ଭ , ଶ୍ରୀ ଜଗନ୍ନାଥଙ୍କୁ ୩୫ କୁମ୍ଭ , ଦେବୀ ସୁଭଦ୍ରାଙ୍କ ଠାରେ ୨୨ କୁମ୍ଭ ଓ ଶ୍ରୀ ସୁଦର୍ଶନ ଙ୍କ ଠାରେ ୧୮ କୁମ୍ଭ ସୁବାସିତ ଜଳ ଦ୍ଵାରା ସ୍ନାନନୀତି କରାଯାଇଥିଲା l ପରେ ଶ୍ରୀଜିଉଙ୍କୁ ଗଜାନନ ବେଶରେ ସଜ୍ଜିତ କରା ଯାଇଥିଲା । ସମସ୍ତ କାର୍ଯ୍ୟ କୁ ମୁଖ୍ୟ ପୂଜକ ବିଶେଶ୍ୱର ପାଢ଼ୀ , ଗୁଣାକର ପଣ୍ଡା , ଯଜ୍ଞାଚାର୍ଯ୍ୟ ଦେବାର୍ଚ୍ଚନ ଦାଶ , ବେଦପାଠ ଶ୍ରୀରାମ ପଣ୍ଡା , ବଦ୍ରିନାରାୟଣ ଶତପଥୀ , ଆଚାର୍ଯ୍ୟ ନନ୍ଦ ଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ ଗ୍ରାମରୁ ଆସିଥିବା ବ୍ରାହ୍ମଣ ସେବାୟତ , ପାଣି ଭାରୁଆ , ଟ୍ରଷ୍ଟ ସଦସ୍ୟ ସମସ୍ତ କାମରେ ସହଯୋଗ କରିଥିଲେ । ସ୍ନାନପୂର୍ଣ୍ଣିମା ରେ ଏହି ଦୁର୍ଲ୍ଲଭ ବେଶ ଦେଖିବାକୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ , ଭକ୍ତମାନେ ଯୋଗଦେଇଥିଲେ । ଭକ୍ତ ଙ୍କ ହରିବୋଲ ଓ ହୁଳହୁଳି ଧ୍ବନିରେ ସମଗ୍ର ପାତାଳି ଶ୍ରୀକ୍ଷେତ୍ରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।