Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିକାଶ ନାମରେ ବିନାଶ କରୁଚି ବେଦାନ୍ତ : କମ୍ପାନୀର ବେଆଇନ କାରବାର ଉପରେ ବର୍ଷିଲା ବିଜେପି

କଳାହାଣ୍ଡି,୨୪/୦୬-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡଠାରେ ଆଜିକୁ ୨୦ ବର୍ଷ ହେଲା ଦେଶର ସର୍ବବୃହତ ଆଲୁମିନିୟମ ବେଦାନ୍ତ ରିଫାଇନାରୀ ପ୍ଲାଣ୍ଟ ରହିଛି। କମ୍ପାନୀ ସ୍ଥାପନ ପାଇଁ ଏହି ଅଞ୍ଚଳର ଜନ ସାଧାରଣ, ବୁଦ୍ଧିଜୀବୀ, ଯୁବକଯୁବତୀ, ସମାଜସେବୀଙ୍କ ପ୍ରଗାଢ ଉଦ୍ୟମରେ ବିନା ବାଧାବିଘ୍ନରେ ଓ ଅଳ୍ପ ସମୟ ମଧ୍ୟରେ ଏଠାରେ ପ୍ଲାଣ୍ଟ ପ୍ରତିଷ୍ଠା ହୋଇ ପାରିଥିଲା। କମ୍ପାନୀ ମଧ୍ୟ ପ୍ରତିଶ୍ରୁତି ଦେଇଥିଲା ଯେ, କମ୍ପାନୀ ସ୍ଥାପନ ପରେ ଅଞ୍ଚଳ ଏକ ବିକଶିତ ଅଞ୍ଚଳ ହେବ, ଶିକ୍ଷା, କୃଷି, ସ୍ୱାସ୍ଥ୍ୟ, ଗମନାଗମନ, ଆର୍ଥିକ ଉନ୍ନତି, ଭିଭିଭୂମିର ବିକାଶ ସହିତ ଲାଞ୍ଜିଗଡ ପାଲଟିବ ଦ୍ଵିତୀୟ ମୁମ୍ବାଇ। ଆଞ୍ଚଳବାସୀ ମଧ୍ୟ ସେଇ ଆଶା ନେଇ ନିଜର ଭିଟାମାଟି ଛାଡି ସର୍ବହରା ହୋଇ ଅଞ୍ଚଳର ବିକାଶ ହେବ ବୋଲି ନିଜ ଜୀବନ ଜୀବିକାକୁ ବାଜି ଲଗାଇ କମ୍ପାନୀକୁ ପ୍ରଶୟ ଦେଇଥିଲେ। କିଛି ଦିନ ଭିତରେ କମ୍ପାନୀ କାର୍ଯ୍ୟକ୍ଷମ ହେଲା । କିନ୍ତୁ ଆଜିକୁ ଦୀର୍ଘ ୨୦ ବର୍ଷ ବିତିଯାଇଥିଲେ ମଧ୍ୟ ଅଞ୍ଚଳ ସେଭଳି ଅବହେଳିତ ହୋଇରହିଛି। ଯାହା ଫଳରେ ଆଲୁମିନିୟମ ରିଫାଇନାରି କମ୍ପାନୀ ଲାଞ୍ଜିଗଡ଼ଠାରେ ଥାଇ ମଧ୍ୟ ଏହି ଅଞ୍ଚଳର ଶହ ଶହ ଯୁବକ ଯୁବତୀ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଉଛନ୍ତି। ଏହି ଅଞ୍ଚଳର ଉଚ୍ଚଶିକ୍ଷିତ, ଆଇଟିଆଇ, ଧନ୍ଦାମୂଳକ ତାଲିମପ୍ରାପ୍ତ ଅନେକ ଛାତ୍ରଛାତ୍ରୀ, ବି-ଟେକ୍ ଯୁବକ ଯୁବତୀ ବେକାର ହୋଇ ଘରେ ବସିଛନ୍ତି। ସେହିପରି ଦୀର୍ଘ ୨୦ ବର୍ଷ ମଧ୍ୟରେ କମ୍ପାନୀ ପକ୍ଷରୁ ଆଜି ପର୍ଯ୍ୟନ୍ତ କୌଣସି ଆଖିଦୃଶିଆ ପାରିପାର୍ଶ୍ଵିକ ବିକାଶ ହୋଇପାରିନାହିଁ। ପାରିପାର୍ଶ୍ଵିକ ବିକାଶ କାର୍ଯ୍ୟଗୁଡିକୁ ବେଦାନ୍ତ ସିଏସ୍ଆର୍ ବିଭାଗ ବିଭିନ୍ନ ଏନଜିଓ ହାତରେ ଟେକି ଦେଇଥିବାବେଳେ କେବଳ କାଗଜପତ୍ରରେ ବିକାଶ ହେଉଛି। ଦୀର୍ଘ ୧୨ ବର୍ଷ ହେଲା ଲାଞ୍ଜିଗଡ ଭାଟଗୁଡାଠାରେ ପ୍ରସ୍ତାବିତ ବିଜ୍ଞାନ ଡିଗ୍ରୀ କଲେଜ କେବଳ ପାଚେରୀ ନିର୍ମାଣରେ ସୀମିତ ରହିଛି। ବେଦାନ୍ତ ସ୍ଥାପନ ଓ ସମ୍ପ୍ରସାରଣ ପାଇଁ ଅଂଚଳର ଗରିବ ନିରୀହ ଲୋକଙ୍କ ଜମିକୁ ଅତ୍ୟନ୍ତ ନିମ୍ନ ଦରରେ ଅଧିଗ୍ରହଣ କରିଛି। ସରକାରୀ ଜମି, ଗ୍ରାମ୍ୟ ଜଙ୍ଗଲ ଜମିକୁ ବଳପୂର୍ବକ ଅକ୍ତିଆର କରି ପାଓ୍ବାର ପ୍ଲାଣ୍ଟ, ରେଡ୍‌ମଡ ପ୍ରୋସେସ୍ ପଣ୍ଡ ଓ ରେଳ ଲାଇନ୍ ଆଦି ନିର୍ମାଣ କରିଛି । ହରେକୃଷ୍ଣପୁର, ରଘୁନାଥପୁର, ନଙ୍ଗଳବେଡ଼ା ଗ୍ରାମରେ କିଛି ରେକର୍ଡଭୁକ୍ତ ରୟତି ଜମିକୁ ରାତି ୧୨ ଘଣ୍ଟା ସମୟରେ ଡୋଜର ଲଗାଇ ସେମାନଙ୍କ ଘର ଭାଙ୍ଗି ରେଳଲାଇନ ବିଛାଯାଇଛି ଓ ଯୋଡାବନ୍ଧଠାରୁ ଚନ୍ଦନପୁର ମଧ୍ୟରେ ଗ୍ରାମ୍ୟଜଙ୍ଗଲକୁ ସଫା କରି ରେଳଲାଇନ ବିଛାଯାଇଛି। କମ୍ପାନୀ ଦ୍ୱାରା ନିର୍ଗତ ବର୍ଯ୍ୟବସ୍ତୁ, ରେଡ୍‌ମଡ ପଣ୍ଡରୁ ଉଡୁଥିବା ଧୂଳି ଓ ବେଦାନ୍ତ କମ୍ପାନୀର ଧୂମ୍ରନଳୀଗୁଡିକ ଯୋଗୁଁ ଆଖପାଖ ଅଞ୍ଚଳର ଚାଷ ସଂପୂର୍ଣ୍ଣ ନଷ୍ଟ ହେବାସହିତ ଲୋକଙ୍କ ନିଶ୍ୱାସ ପ୍ରଶ୍ୱାସ ନେବାରେ ସୁଦ୍ଧା କଷ୍ଟ ହେଉଛି। ରେଡମଡ଼ ପଣ୍ଡରୁ ନିର୍ଗତ ଦୂଷିତ ବାୟୁ ପ୍ରବାହରେ ବସନ୍ତପଡା ଗ୍ରାମବାସୀ ଅଜଣା ରୋଗ, ଚର୍ମରୋଗରେ ଆକ୍ରାନ୍ତ ହେଉଛନ୍ତି। ଏଣୁ କମ୍ପାନୀରେ ସ୍ଥାନୀୟ ନିଯୁକ୍ତି, ପାରିପାର୍ଶ୍ଵିକ ଉନ୍ନୟନରେ ପ୍ରାଥମିକତା, ବ୍ରଜ୍ୟବସ୍ତୁ ପରିଚାଳନା, ବେଆଇନ କାରବାର ଉପରେ ରୋକ ଲଗାଇବା ଆଦି ଉପରେ ପ୍ରବଳ ବର୍ଷିବା ସହିତ କମ୍ପାନୀ ଏଭଳି ଜନମାରଣ ନୀତି ଜାରି ରଖିଲେ କମ୍ପାନୀ ବିରୁଦ୍ଧରେ ଏକ ବିରାଟ ଜନ ଆନ୍ଦୋଳନ କରିବାକୁ ଚରମ ଚେତାବନୀ ଦେଇଛି ଶାସକ ବିଜେପି ଦଳ। ଏନେଇ ଲାଞ୍ଜିଗଡ ବଜାରପଡ଼ାରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଷୋଦଗାର କରିଛନ୍ତି ଦଳର ନେତୃବୃନ୍ଦ। ଏଥିରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଜେପି ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ମାଝୀ, ଲାଞ୍ଜିଗଡ ବିଜେପି ମଣ୍ଡଳ ସଭାପତି ନିରଞ୍ଜନ ବିଭାର, ବିଶ୍ଵନାଥପୁର ମଣ୍ଡଳ ସଭାପତି ଶୁକ୍ରୁ ମାଝୀ, ବ୍ଲକ ସାଧାରଣ ସମ୍ପାଦକ ନରେନ୍ଦ୍ର ବେହେରା, ବିଜେପି ବିଶ୍ୱନାଥପୁର ମଣ୍ଡଳ ପ୍ରଭାରୀ ଭାଗୀରଥି ଧଙ୍ଗଡାମାଝୀ, ବିଜେପି ଜିଲ୍ଲା ପ୍ରତିନିଧି ତ୍ରିନାଥ ପାତ୍ର, ଲାଞ୍ଜିଗଡ ମଣ୍ଡଳ ପ୍ରଭାରୀ ଲକ୍ଷ୍ମୀଧର ସନ୍ତୋଷ ରାୟ, ଜିଲ୍ଲା ପ୍ରତିନିଧି ତୁଳସୀ ମାଝୀ, ଲାଞ୍ଜିଗଡ ମଣ୍ଡଳ ସମ୍ପାଦକ ସଞ୍ଜୟ ସାହୁଙ୍କ ସମେତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ।