କଳାହାଣ୍ଡି,୨୦/୦୭-ଦୀର୍ଘ ଦିନର ଦାବି ପରେ ନିର୍ମାଣ ହେଉଛି କଳାହାଣ୍ଡି ଜିଲ୍ଲା ନର୍ଲାରୁ ଲାଞ୍ଜିଗଡ ବ୍ଲକକୁ ଯୋଡୁଥିବା ନର୍ଲା-କଦମ୍ବଗୁଡା ରାସ୍ତା । ତେବେ ଠିକା ସଂସ୍ଥାର ଅବହେଳା ଓ ଜିଲ୍ଲା ପୂର୍ତ ବିଭାଗର ଦାୟିତ୍ୱହୀନତା ଯୋଗୁଁ ଏହି ରାସ୍ତା ଏବେ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି । ରାସ୍ତା ନିର୍ମାଣରେ ଦୁର୍ନୀତି ଓ ଅନିୟମିତତା ହେଉଥିବା ଅଭିଯୋଗ ହେଲେ ବି କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗ ସତେ ଯେମିତି ନିଘୋଡ଼ ନିଦରେ ଶୋଇଛି। ବାଙ୍କେଲଠାରୁ କଦମ୍ବଗୁଡା ପର୍ଯ୍ୟନ୍ତ ନିର୍ମାଣାଧୀନ ରାସ୍ତାର ବିଭିନ୍ନ ସ୍ଥାନରେ ଠିକାଦାର ରାସ୍ତା ଖୋଳି ଛାଡି ଦେଇଥିବାବେଳେ ପାଣିମୁଣ୍ଡା-ଗୋବର୍ଦ୍ଧନପୁର ମଝିରେ ପଡୁଥିବା ଏକ ପୋଲ ନିକଟରେ ନିର୍ମାଣ କରାଯାଇଥିବା ଡାଇଭର୍ସନ ରାସ୍ତା ଲଗାଣ ବର୍ଷାରେ ସଂପୂର୍ଣ୍ଣ ଦବିଯିବା ସହିତ କାଦୁଅମୟ ହୋଇଯାଇଛି । ଯାହାଫଳରେ ଏହି ରାସ୍ତା ଦେଇ ଯାତାୟତ କରିବା ମୁସ୍କିଲ ହୋଇପଡିଛି । ଧିରମନ୍ଥର ଗତିରେ ରାସ୍ତା ନିର୍ମାଣ ସହିତ ଡାଇଭର୍ସନ ଖୋଳି ଛାଡି ଦେଇଥିବାରୁ ଏହି ରାସ୍ତା ଦେଇ ଯାତାୟତ ଏକପ୍ରକାର ଠପ ହୋଇଯାଇଛି । କିନ୍ତୁ ଲୋକଙ୍କ ସମସ୍ୟା ସଂପର୍କରେ ଠିକା ସଂସ୍ଥା ସଂପୂର୍ଣ୍ଣ ନିରବ ଥିବାବେଳେ ପୂର୍ତ ବିଭାଗ ମଧ୍ୟ ଅଂଚଳବାସୀଙ୍କ ସମସ୍ୟା ପ୍ରତି ଆଖିବୁଜି ଦେଇଛି । ଏଣୁ ବାଙ୍କେଲରୁ କଦମ୍ବଗୁଡା ପର୍ଯ୍ୟନ୍ତ ରାସ୍ତା ତୁରନ୍ତ ନିର୍ମାଣ ପାଇଁ ପଦକ୍ଷେପ ନନେଲେ ଓ ଡାଇଭର୍ସନଗୁଡିକର ମରାମତି କରାନଗଲେ ଅଂଚଳବାସୀ ଏକ ବିରାଟ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏହି ରାସ୍ତାର ଅବ୍ୟବସ୍ଥାକୁ ନେଇ ଏକ ବିରାଟ ଜନ ଆନ୍ଦୋଳନ ଦାନା ବାନ୍ଧୁଥିବାବେଳେ ଜିଲ୍ଲା ପୂର୍ତ ବିଭାଗ ତୁରନ୍ତ ଦୃଷ୍ଟି ଦେଇ ଏହି ରାସ୍ତା ନିର୍ମାଣ ତ୍ୱରାନ୍ୱିତ କରିବାକୁ ଦାବି ହେଉଛି ।