Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶରଦଙ୍କୁ ବଡ ଝଟକା ଦେବେ ଅଜିତ୍ ପାଓ୍ଵାର ? କହିଲେ- ପିଏମ ମୋଦୀଙ୍କ କେହି ବିକଳ୍ପ ନାହାନ୍ତି

ମୁମ୍ବାଇ: ମହାରାଷ୍ଟ୍ରର ବରିଷ୍ଠ ନେତା ତଥା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ପାର୍ଟିର ମୁଖ୍ୟ ଶରଦ ପାଓ୍ଵାର ସଂପ୍ରତି ବଡ ରାଜନୈତିକ କନ୍ଦଳର ସମ୍ମୁଖୀନ ହେଉଛନ୍ତି। ତାଙ୍କ ପୁତୁରା ତଥା ଏନସିପିର ନମ୍ବର ୨ ନେତା ଅଜିତ୍ ପାଓ୍ଵାରଙ୍କ ଆଭିମୁଖ୍ୟ ତାଙ୍କ ଚିନ୍ତା ବଢାଇ ଦେଇଛି। ତାଙ୍କର ସଦ୍ୟତମ ବୟାନ ଏନସିପିକୁ ଅକଳରେ ପକାଇ ଦେଇଛି। ଜୁନିୟର ପାଓ୍ଵାର ଅନେକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ସରକାରଙ୍କ ପ୍ରଶଂସା କରିଛନ୍ତି। ୨୦୧୯ ପରଠୁ ଲଗାତାର ମହାରାଷ୍ଟ୍ର ରାଜନୀତି କଡ ଲେଉଟାଇବାରେ ଲାଗିଛି।

ଏନସିପିର ବରିଷ୍ଠ ନେତା ଅଜିତ୍ ପାଓ୍ଵାର ଖୋଲାଖୋଲି ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିବାରେ ଲାଗିଛି। ସେ କହିଛନ୍ତି ୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ବିଜେପିର ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶ୍ରେୟ ଦେଇଛନ୍ତି। ମୋଦୀ ତାହା କରି ଦେଖାଇଛନ୍ତି ଯାହା ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀ ଏବଂ ମୁରଲୀ ମନୋହର ଯୋଶୀ କରି ପାରି ନାହାନ୍ତି। ବିଜେପି ପ୍ରତି ତାଙ୍କର ଏମିତି ଆଭିମୁଖ୍ୟ ଶରଦ ପାଓ୍ଵାରଙ୍କୁ ଚିନ୍ତାରେ ପକାଇଛି। ଅଜିତ୍ ଏନସିପିର ଅନେକ ବିଧାୟକଙ୍କ ସହ ବିଜେପିରେ ମିଶିବା ନେଇ କଳ୍ପନା ଜଳ୍ପନା ଜାରି ରହିଛି।

ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାଓ୍ଵାର କହିଛନ୍ତି, ମୋଦୀଙ୍କ ପରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ଯଦି ପଚରାଯାଏ ତେବେ କୌଣସି ନାମ ନଜର ଆସୁନାହିଁ। ସାଂପ୍ରତିକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉତ୍ତରାଧିକାରୀ ନାହାନ୍ତି। ଅଜିତ୍ ପାଓ୍ଵାର ଏହା ମଧ୍ୟ କହିଛନ୍ତି ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ପ୍ରସ୍ତୁତ। ଶୁକ୍ରବାର ଅଜିତ୍ ନିଜ ପାର୍ଟିର ମୁମ୍ବାଇ ୟୁନିଟର ଏକ ସମ୍ମିଳନୀରୁ ଦୂରେଇ ରହିଥିଲେ। ଏଥିରୁ ରାଜନୈତିକ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି। କର୍ଣ୍ଣାଟକ ନିର୍ବାଚନ ପାଇଁ ଘୋଷିତ ଏନସିପିର ଷ୍ଟାର ପ୍ରଚାରକ ତାଲିକାରେ ତାଙ୍କ ନାଁ ମଧ୍ୟ ନାହିଁ। ଏସବୁ ରାଜନୈତିକ ଗତିବିଧି ଦେଖିଲେ ଲାଗୁଛି ଅଜିତ୍ ପାଓ୍ଵାର ଏନସିପି ଛାଡି କକା ଶରଦ ପାଓ୍ଵାରଙ୍କୁ ବଡ ଝଟକା ଦେଇ ପାରନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ