Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁଲା ଗାଈଗୋରୁଙ୍କ କବଜାରେ ଭବାନୀପାଟଣା ସହର, ପୌର ପ୍ରଶାସନର ଘୋଷଣା କାଟୁ କରୁନି

କଳାହାଣ୍ଡି, ୨୮/୦୭- ଓଡ଼ିଶାର ଏକ ଐତିହାସିକ ସହର ହେଉଛି କଳାହାଣ୍ଡି ଜିଲ୍ଲାର ମୁଖ୍ୟାଳୟ ଭବାନୀପାଟଣା। ଏଇ ସହରରେ ଦିନେ ଦିହୁଡି ଜାଳି ଓ ପରବର୍ତ୍ତୀ ସମୟରେ କିରୋସିନ ବତୀ ଜାଳି ସହରକୁ ଆଲୋକିତ କରିବାର ପ୍ରୟାସ ହୋଇଥିଲା। ସେହିପରି ସହରବାସୀଙ୍କୁ ପିଇବା ପାଣି ଯୋଗାଇଦେବା ପାଇଁ ତିଆରି ହୋଇଥିବା କାଷ୍ଟ ଆଇରନ ପାଇପ ଓ ଷ୍ଟାଣ୍ଡପୋଷ୍ଟ ଦେଶ ସ୍ୱାଧୀନତା ପୂର୍ବରୁ କୌଣସି ଚମତ୍କାରରୁ କମ ନଥିଲା। ସେହିପରି ତତ୍କାଳୀନ ଗଡଜାତ ରାଜ୍ୟର ରାଜଧାନୀ ଭବାନୀପାଟଣାକୁ ଏକ ଯୋଜନାବଦ୍ଧ ସହର ଭାବେ ପରିଣତ କରିବାକୁ ତତ୍କାଳୀନ ଶାସକ ବେଶ ପ୍ରୟାସ କରିଥିଲେ। ପରବର୍ତ୍ତୀ ସମୟରେ ଭବାନୀପାଟଣା ସହରରେ ବଢିଲା ଜନସଂଖ୍ୟା, ବଢିଲା ଦୋକାନ, ବଜାର, ହୋଟେଲ, ରେଷ୍ଟୋରାଣ୍ଟ ଆଉ ବି ବଢିଲା ରାସ୍ତାଘାଟ। ତେବେ ଯେଉଁ ସହରକୁ ଘେରାଏ ବୁଲି ଆସିଲେ ମନ ଏକବାର ଫୁର୍ତ୍ତି ଲାଗୁଥିଲା। ସେଇ ସହରରେ ଏବେ ଲୋକଙ୍କ ଭିଡ଼ ବଢ଼ିଛି। ବଢିଛି ଯାନବାହନ ସଂଖ୍ୟା। ସହର ମଧ୍ୟ ଦେଇଯାଇଛି ବରଗଡ଼-ବୋରିଗୁମା ୨୬ ନମ୍ବର ଜାତୀୟ ରାଜପଥ। ତେବେ ସହର ମଧ୍ୟ ଦେଇ ଯାଇଥିବା ଏଇ ରାଜପଥ ଓ ଏହାର ଛକଗୁଡିକରେ ଏବେ ବୁଲା ଗାଈଗୋରୁଙ୍କ ଭିଡ଼। ସହରର କଲେଜ ଛକରୁ ଆରମ୍ଭ କରି ପୁରୁଣା ଚେକଗେଟ, ବିମଳା କନଭେଣ୍ଟ, ମାଣିକେଶ୍ବରୀ ଛକ, ଷ୍ଟେଚ୍ୟୁ ଛକ, ଗାନ୍ଧୀ ଛକ, ଘୋଡ଼ାଘାଟ ଛକ, ନକଟିଗୁଡା ଛକ ପର୍ଯ୍ୟନ୍ତ ଏବେ ମାଳମାଳ ବୁଲାଗାଈ ଗୋରୁ ଆସ୍ଥାନ ଜମାଇଛନ୍ତି। କି ଦିନ କି ରାତି ରାସ୍ତା ଉପରେ ବୁଲା ଗାଈଗୋରୁଙ୍କ ଭିଡ଼ ଯୋଗୁଁ ଟ୍ରାଫିକ ସମସ୍ୟା ଦେଖାଦେଇଥିବାବେଳେ ଏଥିଯୋଗୁଁ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟିଚାଲିଛି। ତେବେ ଲୋକଙ୍କ ସମସ୍ୟା ପ୍ରତି ନା ଗୋରୁ ମାଲିକ ନା ପୌରପାଳିକା କେହି ବି ଦୃଷ୍ଟି ଦେଲେନି। ଏପରକି ଗତ କିଛିଦିନ ହେଲା ପୌରପାଳିକା ପକ୍ଷରୁ ଗାଈଗୋରୁଙ୍କୁ ରାସ୍ତାରୁ ହଟାଇବାକୁ ମାଇକ ଯୋଗେ ଘୋଷଣା କରାଯାଉଥିଲେ ହେଁ ଗୋରୁ ମାଲିକଙ୍କ ଉପରେ ଏହାର ସାମାନ୍ୟ ପ୍ରଭାବ ପଡୁନାହିଁ। ଏଣୁ ବୁଲା ଗାଈଗୋରୁ ଓ ସେମାନଙ୍କ ମାଲିକମାନଙ୍କୁ ପାନେ ଦେବାକୁ ହେଲେ ପୌର ପ୍ରଶାସନକୁ କଠୋର ହେବାକୁ ପଡ଼ିବ। ରାସ୍ତାରେ ଆସ୍ଥାନ ଜମାଇଥିବା ଗାଈଗୋରୁଙ୍କୁ କାଞ୍ଜିଆହୁଦାରେ ଭର୍ତ୍ତି କରିବା ସହିତ ମାଲିକଙ୍କୁ ଜରିମାନା ନଚେତ ନିଲାମ ଡାକରା ଦେବା ନେଇ ଏବେ ଆଲୋଚନା ଜୋର ଧରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ