ଗର୍ଭବତୀ ମହିଳାଙ୍କ ମୃତଦେହ ମିଳିବାର ଦୁଇଦିନ ପରେ ମିଳିଲା ଝିଅର ଶବ


କୋରାପୁଟ: ଝଞ୍ଜାବତୀ ନଦୀରୁ ମିଳିଲା ନାବାଳିକାର ମୃତଦେହ । ଦୀର୍ଘ ୭୨ ଘଣ୍ଟାର ଅପରେସନ ପରେ ଆଜି ସକାଳେ ଓଡ୍ରାଫ ଟିମ୍‌ ନାବାଳିକାଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ଦୁଇଦିନ ତଳେ ଗର୍ଭବତୀ ମାଆଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ରବିବାର ସନ୍ଧ୍ୟାରେ କୋରାପୁଟ ଜିଲ୍ଲାର ଝଞ୍ଜାବତୀ ନଦୀକୁ ମାଆ, ଝିଅ ଶୌଚପାଇଁ ଯାଇ ଭାସିଯାଇଥିଲେ । ମୃତ ମହିଳା ଜଣଙ୍କ ହେଲେ ନାରାୟଣପାଟଣା ଥାନା ଡୋକରିଘାଟି ଗାଁର ମତି ତାଡିଂ ।

ଗତ ଗୁରୁବାର ମତିଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା । ତେଣୁ ତାଙ୍କ ସ୍ୱାମୀ ତାଙ୍କୁ ନାରାୟଣପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଚେକ୍‌ଅପ୍‌ ପରେ ଡେଟ୍‌ ହୋଇ ନଥିବା କହିଥିଲେ ଡାକ୍ତର । ତେଣୁ ସେ ନାରାୟଣପାଟଣା ଉପକଣ୍ଠରେ ନିର୍ମାଣ ହୋଇଥିବା ମାଆ ଗୃହରେ ରହିଥିଲେ ।

ମତିଙ୍କ ପାଖରେ ତାଙ୍କ ସ୍ୱାମୀ ଓ ୬ ବର୍ଷର ଝିଅ ଥିଲେ । ରବିବାର ସନ୍ଧ୍ୟାରେ ସ୍ୱାମୀଙ୍କୁ ନ କହି ମତି ଓ ତାଙ୍କ ଝିଅ ମାଆ ଗୃହଠାରୁ ୧୦୦ ମିଟର ଦୂରରେ ଥିବା ଝାଞ୍ଜାବତୀ ନଦୀ ପଠାକୁ ଶୌଚ ପାଇଁ ଯାଇଥିଲେ । ମତିଙ୍କ ଝିଅ ନଦୀ ପାଣିରେ ଶୌଚ ବେଳେ ଭାସି ଯାଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ମତି ଭାସି ଯାଇଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ମତିଙ୍କ ସ୍ୱାମୀଙ୍କୁ ଖବର ଦେଇଥିଲେ । ପରେ ଓଡ୍ରାଫ ଟିମ୍‌ ପହଞ୍ଚି ଖୋଜାଖୋଜି କରିଥିଲେ । ମତିଙ୍କ  ମୃତଦେହ ମିଳିଥିଲା ବେଳେ ଆଜି ସକାଳେ ଝିଅ ମୃତଦେହ ଉଦ୍ଧାର କରାଯାଇଛି । ମତି ୮ ମାସର ଗର୍ଭବତୀ ଥିଲେ ବୋଲି ସୂଚନା ରହିଛି ।