Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଦାନ୍ତ ଲିମିଟେଡ଼ ମୁଖ୍ୟ ଫାଟକରେ ଶ୍ରମିକଙ୍କ ଶବ ରଖି ଧାରଣା ଦେଲେ ପରିବାର ଲୋକେ, କମ୍ପାନୀ ପରିସରରେ ଅଚଳାବସ୍ଥା

କଳାହାଣ୍ଡି, ୩୧/୦୮ – କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡ଼କୁ ବିବାଦ ପିଛା ଛାଡ଼ୁନି। ଗତ ଚାରିଦିନ ତଳେ ସ୍ଥାୟୀ ନିଯୁକ୍ତି ଓ ଥଇଥାନ ଦାବିରେ ବେଦାନ୍ତର ସହଯୋଗୀ ପିଏପିଏଲ କମ୍ପାନୀ ବିରୁଦ୍ଧରେ ବିସ୍ଥାପିତମାନେ ଆନ୍ଦୋଳନ କରିଥିବାବେଳେ ଆଜି ସକାଳୁ ବେଦାନ୍ତର ଆଉ ଏକ ସହଯୋଗୀ କମ୍ପାନୀ ଆଇଜାକ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିବା ନର୍ଲା ବ୍ଲକ ବୁରାଟ ଗାଁର ଚୂଡ଼ାମଣି ସାହୁ(୨୮)ଙ୍କ ଚିକିତ୍ସାଧୀନ ଭାବେ ମୃତ୍ୟୁ ଘଟିଥିବାବେଳେ ମୁଖ୍ୟ ଫାଟକରେ ତାଙ୍କ ଶବ ରଖି ଧାରଣା ଦେଇଛନ୍ତି ପରିବାର ଲୋକେ। ଚୂଡ଼ାମଣି ଆଇଜାକ କମ୍ପାନୀରେ ଦୀର୍ଘ ଦିନ ହେଲା କାମ କରୁଥିଲେ, ସେଠାରେ କୌଣସି ଅଜଣା କୀଟ ଦଂଶନରେ ଗୁରୁତର ହୋଇପଡ଼ିଥିବାବେଳେ ତାଙ୍କୁ ରାୟଗଡା ଜିଲ୍ଲା ବିଷମକଟକ ଖ୍ରୀଷ୍ଟିୟାନ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସାଧୀନ ଭାବେ ଶୁକ୍ରବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଥିଲା। ତେବେ କମ୍ପାନୀ ପରିସରରେ ବିନା କୌଣସି ସୁରକ୍ଷା ବ୍ୟବସ୍ଥା, ଅସ୍ୱାସ୍ଥ୍ୟକର ପରିବେଶ, ବିପଦସଂକୁଳ କାର୍ଯ୍ୟ ଯୋଗୁଁ ପୁଅର ମୃତ୍ୟୁ ଘଟିଥିବା ତାଙ୍କ ବାପା ଅଭିଯୋଗ କରୁଥିବାବେଳେ ନିଜ କର୍ମଚାରୀର ଚିକିତ୍ସା ସମୟରେ ମୁହଁ ମୋଡ଼ିଦେବାକୁ ନିନ୍ଦା କରିବା ସହିତ କ୍ଷତିପୂରଣ ଦାବିରେ ଶବ ରଖି ଧାରଣା ଦେଇଛନ୍ତି। ଗୋଟିଏ ବୋଲି ଯୁବକ ପୁଅର ମୃତ୍ୟୁରେ ପରିବାର ଲୋକେ ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିବାବେଳେ କ୍ଷତିପୂରଣ ନଦେଲେ ଶବ ହଟାଇବୁନି ବୋଲି ଅଡ଼ି ବସିଛନ୍ତି। ବେଦାନ୍ତ ମୁଖ୍ୟ ଫାଟକ ସମେତ ମେଟେରିଆଲ ଗେଟରେ ମଧ୍ୟ ତାଲା ପକାଇ ଦେଇଥିବାବେଳେ ସକାଳ ପାଞ୍ଚଟାରୁ ଉଭୟ ଫାଟକ ବାହାରେ ଶହଶହ ଶ୍ରମିକ ଓ କର୍ମଚାରୀ ଅଟକି ରହିଛନ୍ତି। ଏପରିକି ଶ୍ରମିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦାବିରେ ସ୍ଥାନୀୟ ଲୋକେ ଓ ଶ୍ରମିକମାନେ ମଧ୍ୟ ଏହି ଧାରଣାକୁ ସମର୍ଥନ କରୁଥିବାବେଳେ କମ୍ପାନୀ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି। କମ୍ପାନୀ କର୍ତ୍ତୃପକ୍ଷ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିକରି ନାକେଦମ ହୋଇପଡିଛନ୍ତି। ଅପରପକ୍ଷରେ ଲାଞ୍ଜିଗଡ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡିଛି।

More Stories