ମହିଳାଙ୍କୁ ହତ୍ୟା ଅଭିଯୋଗ: କବର ଖୋଳି ଶବ ବାହାର କଲା ପୋଲିସ


କୁତ୍ରା: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଅଞ୍ଚଳରେ ଜଣେ ମହିଳାଙ୍କ ମୃତ୍ୟୁ ଏବେ ଚର୍ଚ୍ଚାରେ ରହିଛି । ମହିଳାଙ୍କୁ ତାଙ୍କ ଶ୍ବଶୁର ଘର ଲୋକେ କବର ଦେଇ ଦେଇଥିଲେ । ହେଲେ ବାପ ଘର ଲୋକଙ୍କ ଅଭିଯୋଗ ପରେ ପୋଲିସ କବର ଖୋଳି ମହିଳାଙ୍କ ଶବ ଜବତ କରିଛି । ଘଟଣା କୁତ୍ରା ଥାନା ଖତକୁରବାହାଲରେ ଘଟିଛି । ଶାଶୁ ଘର ଲୋକ ଝିଅକୁ ହତ୍ୟା କରିଥିବା ନେଇ ମୃତ ମହିଳାଙ୍କ ପରିବାର ଅଭିଯୋଗ କରିଛନ୍ତି । ମୃତ ମହିଳାଙ୍କ ନାଁ ସରିନ ବୋଲି ଜଣାପଡ଼ିଛି ।

ତଥ୍ୟ ଅନୁସାରେ, ରାଉରକେଲା ନାଲାରୋଡ଼ର ସରିନ, କୁତ୍ରା ଥାନା ଖତକୁରବାହାଲ ଅଞ୍ଚଳର ମନାୱାର ରାଜାଙ୍କୁ ୨୦୧୯ ମସିହାରେ ବିବାହ କରିଥିଲେ । ଗତ ୨୭ ତାରିଖରେ ସରିନଙ୍କୁ ହାର୍ଟ ଆଟାକ ହୋଇଛି, ତେଣୁ ତାଙ୍କୁ ହସ୍ପିଟାଲ ନେଉଛୁ ବୋଲି ଶାଶୁ ଘର ଲୋକେ ତାଙ୍କ ଭାଇ ୱାସିମଙ୍କୁ ଜଣାଇଥିଲେ । ଏହାର କିଛି ସମୟ ପରେ ସରିନଙ୍କ ମୃତ୍ୟୁ ଘଟିଥିବା ଖବର ଦେଇଥିଲେ ।

ଖବର ପାଇବା ପରେ ସରିନଙ୍କ ପରିବାର ଲୋକେ ତାଙ୍କ ଶାଶୁ ଘରେ ପହଞ୍ଚି ଝିଅର ମୃତ୍ୟୁର କାରଣ ଜାଣିବାକୁ ଚାହିଁଥିଲେ । ହେଲେ ସରିନଙ୍କ ଶାଶୁ ଘର ଲୋକଙ୍କ କଥାରେ ତାଳମେଳ ରହି ନଥିଲା । ଯାହାକୁ ନେଇ ଦୁଇ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା ।

ଏହି ସମୟରେ ସରିନଙ୍କ ଶାଶୁ ଘର ଲୋକେ ତରବରରେ ତାଙ୍କ ଅନ୍ତିମ ସଂସ୍କାର କରି ଦେଇଥିଲେ । ଯାହାକୁ ନେଇ ସରିନଙ୍କ ବାପ ଘର ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ଏନେଇ ସରିନଙ୍କ ଭାଇ କୁତ୍ରା ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ପାଇବା ପରେ ପୋଲିସ ଏକ ମାମଲା ରୁଜୁ କରି ଫରେନସିକ୍ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚିଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କବରସ୍ଥାନ ଖୋଳି ମହିଳାଙ୍କ ମୃତଦେହ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି ।

ଅନ୍ୟପକ୍ଷରେ, ଘଟଣାର ଉପଯୁକ୍ତ ତଦନ୍ତ ସହ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି ସରିନଙ୍କ ଭାଇ । ଅନ୍ୟପଟେ ସ୍ତ୍ରୀଙ୍କ ପରିବାର ଲୋକ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ମୃତକଙ୍କ ସ୍ୱାମୀ ।

ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ସଫଳ ହୋଇଛି ପାରଳାଖେମୁଣ୍ଡି:୧୭/୭(ଗରୁଡ ଧ୍ଵଜ ଚୌଧୁରୀ): ସମଗ୍ର ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ଡାକରାକୁ ମିଳିଛି ଜନସମର୍ଥନ. ଗଜପତି ଜିଲ୍ଲାର ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲା ର ମୋଟ 7 ଗୋଟି ବ୍ଲକ ଯଥା ମୋହନା, ଆର. ଉଦୟଗିରି, ନୂଆଗଡ, ରାୟଗଡ, ଗୋଷଣୀ ଓ କାଶୀନଗର ଏନଏସି ଓ ବ୍ଲକ ଅଞ୍ଚଳରେ ସଫଳ ହୋଇଛି ବନ୍ଦ ପାଳନା। ସାରା ଜିଲ୍ଲାରେ ବନ୍ଦ ପାଳନ ଯୋଗୁଁ ଜୀବନ ଯାତ୍ରା ସମ୍ପୂର୍ଣ ବ୍ୟାହତ ହୋଇଛି। ଚକ ଅଖ ବନ୍ଦ ଥିବା ବେଳେ ସମସ୍ତ ସ୍କୁଲ କଲେଜ ସରକାରୀ ବେସରକାରୀ ଅନୁଷ୍ଠାନ ଦୋକାନ ବଜାର, ସରକାରୀ ଅଫିସ ଓ ବ୍ୟାଙ୍କ ଆଦି ସବୁ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ବେଳେ ନାରୀକୁ ସୁରକ୍ଷା ଦେବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଗଜପତି ଜିଲ୍ଲା କଂଗ୍ରେସ କମିଟିର ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ ପ୍ରକାଶ କରି କହିଛନ୍ତିଯେ, ବାଲେଶ୍ବର ଫକୀରମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ସୁରକ୍ଷା ଦେଇ ପାରି ନାହାଁନ୍ତି ସରକାର। ତାଙ୍କ ଅସ୍ଵାଭାବିକ ମୃତ୍ୟୁ ପଛରେ ଥିବା ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ସହ ପିଡିତାଙ୍କ ପରିବାରକୁ ୫ କୋଟି ସହାୟତା ପ୍ରଦାନ ଦାବି କରିଛନ୍ତି. ଏହି ବନ୍ଦ ପାଳନରେ ଗଜପତି ଜିଲ୍ଲା ସିପିଏମ ଦଳର ଦଣ୍ଡ ପାଣି ରଇତ, ସିପିଆଇର ଶ୍ରୀନିବାସ ବେହେରାଙ୍କ ସମେତ ବହୁ ବାମପନ୍ଥି ସଦସ୍ୟ ଯୋଗ ଦେଇ ବନ୍ଦ ପାଳନକୁ ସମ୍ପୂର୍ଣ ସଫଳ କରିଥିଲେ. କଂଗ୍ରେସ ନେତ୍ରୀ ଜସ୍ମିନ ଶେଖଙ୍କ ସମେତ ବହୁ ନେତା କର୍ମୀ ପାରଳାଖେମୁଣ୍ଡି ଠାରେ ବନ୍ଦ ପାଳନରେ ସାମିଲ ହୋଇଥିଲେ. ବିଜେପି ସରକାରଙ୍କ ବିଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଫଟୋଚିତ୍ରକୁ ଦାହ କରିବା ସହ ସେମାନଙ୍କ ଇସ୍ତଫା ଦାବି କରାଯାଇଥିଲା.