ହୋଟେଲରେ ଯୁବତୀଙ୍କୁ ଜାଳି ହତ୍ୟା ଅଭିଯୋଗ


ରାଉରକେଲା: ରାଉରକେଲାରୁ ଆସିଛି ଏକ ବିଭତ୍ସ ଖବର । ଏକ ହୋଟେଲରେ ଜଣେ ଯୁବତୀଙ୍କୁ ପୋଡ଼ି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ରାଉରକେଲା ରେଲୱେ ଷ୍ଟେସନ ନିକଟ ଏକ ହୋଟେଲ ରୁମରେ ଏହି ଘଟଣା ଘଟିଛି । ମୃତ ଯୁବତୀଙ୍କ ବାପା ପ୍ଲାଣ୍ଟ ସାଇଟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

ମୃତ ଯୁବତୀ ଜଣକ ଗତକାଲି ସକାଳେ କମ୍ପ୍ୟୁଟର କ୍ଲାସ କରିବା ପାଇଁ ଘରୁ ଆସିଥିଲେ । କ୍ଲାସ ଯିବା ବଦଳରେ ଏକ ହୋଟେଲରେ ଅଜୟ ସା’ ନାମକ ଜଣେ ସମ୍ପର୍କୀୟ ଭାଇଙ୍କ ସହ ରହିଥିଲେ । ପରେ ହୋଟେଲ ରୁମରେ ଯୁବତୀଙ୍କୁ ଦେହରେ ନିଆଁ ଲାଗିଥିବା ଦେଖି ହୋଟେଲ କର୍ମଚାରୀ ତାଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କର ମୃତ୍ୟୁ ଘଟିଛି ।

ଅଜୟ ସା’ ହିଁ ଝିଅକୁ ହତ୍ୟା କରିଥିବା ମୃତ ଯୁବତୀଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି । ଅଜୟଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ମୃତ ଯୁବତୀ ଏବଂ ଅଜୟ ସା’ ୪ରୁ ୫ ଥର ସେହି ହୋଟେଲକୁ ଆସି ରହିଥିବା ହୋଟେଲ ମ୍ୟାନେଜର କହିଛନ୍ତି । ସାଇଣ୍ଟିଫିକ ଟିମ ଓ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।