କେଜ୍ରିୱାଲଙ୍କୁ ବିଜେପିର କଡା ସମାଲୋଚନା; ଘର ରିନୋଭେସନ୍‌ ପାଇଁ ଖର୍ଚ୍ଚ କରିଛନ୍ତି ୪୦ କୋଟି


ନୂଆଦିଲ୍ଲୀ: ଆଜି ଦିଲ୍ଲୀ ମେୟର ନିର୍ବାଚନ ଥିଲା। ଏଥିରେ ବିଜେପିକୁ ପଛରେ ପକାଇ ବାଜି ମାରିଛି ଆପ୍‌। ବିଜେପି ନିର୍ବାଚନରୁ ଓହରି ଯିବାପରେ ଆପ ପ୍ରାର୍ଥୀ ଡା.ଶେଲି ଓବରୟ ପିନ୍ଧିଛନ୍ତି ବିଜୟ ମୁକୁଟ । ଗୋଟିଏ ପଟେ ଆପ୍‌ ବିଜୟ ଖୁସି ମନାଉଥିବା ବେଳେ ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ବର୍ଷିଛି ବିଜେପି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୪୦ କୋଟିରୁ ଅଧିକ ଖର୍ଚ୍ଚ କରି ତାଙ୍କ ଘର ମରାମତି କରୁଥିବାରୁ  କଡା ସମାଲୋଚନା କରିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର ।

ବିଜେପି ଅଭିଯୋଗ କରିଛି ଯେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜ ଘରର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରାୟ ୪୫ କୋଟି ଖର୍ଚ୍ଚ କରିଛନ୍ତି । ଏ ନେଇ ଶ୍ରୀ ପାତ୍ର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ବିଜେପି ମୁଖପାତ୍ର ଆହୁରି କହିଛନ୍ତି ଯେ ଦିଲ୍ଲୀରେ କୋଭିଡ ପିକରେ ଥିବାବେଳେ ଲୋକଙ୍କୁ ଡାକ୍ତରଖାନାରେ ବେଡ ମିଳୁ ନ ଥିଲା । ଅକ୍ସଜେନ ମିଳୁ ନ ଥିଲା । ହେଲେ ସେତେବେଳେ କେଜ୍ରିୱାଲ  କୋଟି କୋଟି ଟଙ୍କା ତାଙ୍କର ଘର ମରାମତିରେ ଖର୍ଚ୍ଚ କରୁଥିଲେ ।

ଅନ୍ୟପକ୍ଷେ ଆପର ଜେନେରାଲ ସେକ୍ରଟେରୀ ତଥା ଏମପି ସନ୍ଦୀପ ପାଠକ ଏହାକୁ ଖଣ୍ଡନ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଛୋଟ ଘର ଦିଆ ଯାଇଥିଲା । ତେଣୁ ନୂଆ ଘର ପାଇଁ ପିଡବ୍ଲୁଡି କହିଥିଲା ଏବଂ ପିଡବ୍ଲ୍ୟୁଡି ଏହାକୁ କରୁଛି ।