Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଣି, ପବନ, ନିଶ୍ୱାସ-ପ୍ରଶ୍ୱାସରେ ମିଶୁଛି ବେଦାନ୍ତ ବିଷ : ରାଜରାସ୍ତାକୁ ଓହ୍ଲାଇଲେ ବଣ୍ଡେଲ ଗ୍ରାମବାସୀ

କଳାହାଣ୍ଡି , ୨୩/୦୯- ଲାଞ୍ଜିଗଡ଼ଠାରେ ଗତ ୨୦୨୩ ମସିହାରୁ ସ୍ଥାପିତ ହୋଇଛି ବେଦାନ୍ତ ଲିମିଟେଡ। ସ୍ଥାପିତ ହେବା ପରଠାରୁ ଚରମ ଦୁର୍ଦ୍ଦଶାରେ ରହି ଆସିଛନ୍ତି ବଣ୍ଡେଲ ଗ୍ରାମବାସୀ। ପ୍ରତିଦିନ ବେଦାନ୍ତର ଧୂଳି, ଧୂଆଁରେ ଅତିଷ୍ଠ ହୋଇ ପଡ଼ିଥିବା ବଣ୍ଡେଲ ଗ୍ରାମବାସୀଙ୍କ ଉପରେ ନିୟମିତ ଦାଉ ସାଧୁଛି ବେଦାନ୍ତ କମ୍ପାନୀ। ଏପରିକି ବର୍ଷା ହେଲେ ବେଦାନ୍ତ ପ୍ରକଳ୍ପରୁ ନିର୍ଗତ ବିଷାକ୍ତ କଷ୍ଟିକ ମିଶା ପାଣି ସିଧା ଗାଁ ଭିତରକୁ ପଶି ଆସୁଥିବାବେଳେ ଗାଁ ଲୋକଙ୍କ ଜୀବନ ଜୀବିକା ଦୁର୍ବିସହ ପାଲଟିଛି। ଅତ୍ୟନ୍ତ ବିଷାକ୍ତ କଷ୍ଟିକ ଓ ଅନ୍ୟ ରାସାୟନିକ ମିଶ୍ରିତ ପାଣି ଯୋଗୁଁ ଲୋକେ ବିଭିନ୍ନ ଦୁରାରୋଗ୍ୟରେ ଆକ୍ରାନ୍ତ ହେଉଥିବାବେଳେ ଜଳଉତ୍ସ ମଧ୍ୟ ବିଷମୟ ପାଲଟିଛି। ଗାଈଗୋରୁ ଆଦି ଗୃହପାଳିତ ପ୍ରାଣୀ ରୋଗାକ୍ରାନ୍ତ ହେବା ମରିପଡିବା ଭଳି ଘଟଣା ନିତିଦିନିଆ ପାଲଟିଲାଣି। ସେହିପରି ଚାଷବାସରେ ବିଷାକ୍ତ କଷ୍ଟିକ ପାଣି ମାଡି ଫସଲ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଉଛି। ଏନେଇ ବର୍ଷ ବର୍ଷ ଧରି ଅଭିଯୋଗ କଲେ ବି ଶୁଣୁନାହାନ୍ତି ବେଦାନ୍ତ କର୍ତୃପକ୍ଷ। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବଢ଼ି ଚାଲିଥିବାବେଳେ ଆଜି ଶତାଧିକ ଗ୍ରାମବାସୀ ବେଦାନ୍ତ ମୁଖ୍ୟ ଫାଟକ ସାମ୍ନାରେ ଧାରଣା ଦେଇଛନ୍ତି। ଅସନ୍ତୁଷ୍ଟ ଗ୍ରାମବାସୀଙ୍କ ଧାରଣା ଯୋଗୁଁ ଆଜି ଦୀର୍ଘ ସମୟ ଧରି ବେଦାନ୍ତ ପରିସରରେ ଏକ ପ୍ରକାର ଅଚଳାବସ୍ଥା ଦେଖାଦେଇଥିଲା। ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାଇବାକୁ ଯାଇ ବେଦାନ୍ତ କର୍ତୃପକ୍ଷ ନୟାନ୍ତ ହୋଇପଡ଼ିଥିଲେ। ଆମକୁ ସୁରକ୍ଷା ଦେବା ନଚେତ ଥଇଥାନ ପାଇଁ କମ୍ପାନୀ ପଦକ୍ଷେପ ନନେଲେ ଧାରଣାରୁ ହଟିବୁ ନାହିଁ ବୋଲି ଜିଦ ଧରି ବସିଥିଲେ। ଲୋକଙ୍କ ବିରୋଧକୁ ଦେଖି ଶେଷରେ କମ୍ପାନୀ କର୍ତୃପକ୍ଷ ଗ୍ରାମବାସୀଙ୍କ ଦାବି ମାନିନେବାକୁ ରାଜି ହେବାରୁ ଲୋକେ ଧାରଣାରୁ ହଟିଥିଲେ। ତେବେ ଏଥର ଦାବି ପୂରଣ ନହେଲେ ଭୟାବହ ଆନ୍ଦୋଳନ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।