ଗୁଣିଗାରେଡି ସନ୍ଦେହ: ଦୁଇ ବୃଦ୍ଧଙ୍କ ମୁଣ୍ଡରେ ବିଷ୍ଠା ଢାଳିଲେ ଉତ୍ତ୍ୟକ୍ତ ଲୋକେ


ନୂଆପଡା: ମଣିଷ ନିଜକୁ ସଭ୍ୟ କହୁଛି । ଚନ୍ଦ୍ରରେ ପହଞ୍ଚି ସାରିଛି । ମଙ୍ଗଳରେ ପାଦ ଦେବାକୁ ଯୋଜନା କରୁଛି । ନିଜ ବୁଦ୍ଧି ଓ ବିବେକ ବଳରେ ମହାଜଗତକୁ ନିଜ ହାତ ମୁଠାରେ କରିବାକୁ ଚେଷ୍ଟା କରୁଛି । ହେଲେ ଏବେ ବି ଅନ୍ଧ ବିଶ୍ବାସର ଅନ୍ଧାରୀ ଗଳିରୁ ବାହାରି ପାରିନି । ଆଜି ବି କଳାଜାଦୁର ଦୁନିଆରେ କେଉଁଠି ନା କେଉଁଠି ନିଜର ବିବେକ ହରାଇ ଅସଭ୍ୟ ଆଚରଣ କରୁଛି । ଏମିତି ଏକ ଘଟଣା ଘଟିଛି ନୂଆପଡ଼ା ଅଞ୍ଚଳରେ ଗୁଣିଗାରେଡ଼ି ସନ୍ଦେହରେ ଦୁଇ ଜଣ ବୃଦ୍ଧଙ୍କ ମୁଣ୍ଡରେ ବିଷ୍ଠା ଢାଳିଛନ୍ତି ଉତ୍ତ୍ୟକ୍ତ ଲୋକେ ।

ନୂଆପଡ଼ା ଜିଲ୍ଲା ବୋଡେନ ଥାନା ଅଞ୍ଚଳରେ ଘଟିଛି ଏଭଳି ବର୍ବର କାଣ୍ଡ । ଗୁଣି ସନ୍ଦେହରେ ଡୁମେରପଦର ଗାଁର ଦୁଇ ବୃଦ୍ଧଙ୍କ ମୁଣ୍ଡରେ ବିଷ୍ଠା ଢାଳିବା ସହ ମୁହଁରେ ଲଙ୍କାଗୁଣ୍ଡ ମାରିଥିଲେ ଦୁର୍ବୃତ୍ତ । ଏଭଳି ନିର୍ଯାତନାର ଶିକାର ହୋଇଛନ୍ତି ଡୁମେରପଦର ଗାଁର ୬୫ ବର୍ଷୀୟ ଭୋଜରାମ ରଣା ଏବଂ ୬୦ ବର୍ଷୀୟ ଗୋବର୍ଦ୍ଧନ ରଣା ।

ଅଭିଯୋଗ ଅନୁସାରେ ଡୋଟୋ ଗାଁର ଲଳିତ ରଣାଙ୍କ ଝିଅଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିଲା । ଯେତେ ଚିକିତ୍ସା କରିଥିଲେ ବି ଝିଅଟି ସୁସ୍ଥ ହୋଇ ନଥିଲା । ଏଣୁ କେହି ଗୁଣି କରିଥିବା ପରିବାର ଲୋକ ସନ୍ଦେହ କରିଥିଲେ । ଦୁଇଦିନ ତଳେ ଗାଁରେ ବୈଠକ କରି ଭୋଜରାମ ଏବଂ ଗୋବର୍ଦ୍ଧନଙ୍କୁ ଡକାଇଥିଲେ । କିନ୍ତୁ ଉଭୟ ବୈଠକକୁ ଆସି ନଥିଲେ । ଏହାକୁ ନେଇ ଲଳିତଙ୍କ ପରିବାର ଅସନ୍ତୋଷ ବ୍ୟକ୍ତ କରିଥିଲେ । ବୁଧବାର ରାତିରେ କିଛି ଯୁବକ ଭୋଜରାମ ଏବଂ ଗୋବର୍ଦ୍ଧନଙ୍କ ଘରେ ପଶି ନିସ୍ତୁକ ମାଡ଼ ମାରିଥିଲେ । ପରେ ମୁଣ୍ଡରେ ବିଷ୍ଠା ଢାଳିବା ସହ ମୁହଁରେ ଲଙ୍କାଗୁଣ୍ଡ ବୋଳି ଦେଇଥିଲେ । ଘଟଣାକୁ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ୯ ଜଣଙ୍କ ଅଟକ ରଖି ପୋଲିସ ପଚରାଉଚରା କରୁଛି ।