Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡବ୍ଲ୍ୟଏଫଆଇ ଅଧ୍ୟକ୍ଷଙ୍କ ବିରୋଧରେ ତଦନ୍ତ କମିଟିର ସଦସ୍ୟ ବବିତା ଫୋଗାଟ୍ କହିଲେ- ତଦନ୍ତ ଠିକରେ ହୋଇ ନାହିଁ

ନୂଆଦିଲ୍ଲୀ: ଯୌନ ଉତ୍ପୀଡନ ଅଭିଯୋଗ ଆସିଥିବା ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ପୁଣି ଥରେ ଦିଲ୍ଲୀର ଜନ୍ତର ମନ୍ତରରେ ଧାରଣାରେ ବସିଛନ୍ତି ଅନେକ ମହିଳା କୁସ୍ତିଯୋଦ୍ଧା। ଅଭିଯୋଗକାରୀ ରେସଲଙ୍କ ଉପରେ ଚାପ ପକାଯାଉଥିବା ଖେଳାଳିମାନେ ଅଭିଯୋଗ କରିଛନ୍ତି। ଡବ୍ଲ୍ୟଏଫଆଇର ଅଧିକାରୀ ସେମାନଙ୍କ ଘରକୁ ଆସି ଟଙ୍କା ଯାଚୁଛନ୍ତି।

ଇତି ମଧ୍ୟରେ ବ୍ରିଜଭୂଷଣ ସିଂଙ୍କ ବିରୋଧରେ ଲାଗିଥିବା ଅଭିଯୋଗର ତଦନ୍ତ ପାଇଁ ଗଠିତ କମିଟିର ସଦସ୍ୟା ବବିତା ଫୋଗାଟ୍ ପ୍ରଥମ ଥର ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି। ସେ ଗୋଟିଏ ପରେ ଗୋଟିଏ ଅନେକ ବଡ ଖୁଲାସା କରିଛନ୍ତି। ସେ କହିଛନ୍ତି ତଦନ୍ତ କମିଟି ଠିକରେ ତଦନ୍ତ କରି ନାହାନ୍ତି ଏବଂ ସମସ୍ତ ସଦସ୍ୟଙ୍କ ସହମତିରେ ରିପୋର୍ଟ ପ୍ରସ୍ତୁତ କରାଯାଇ ନାହିଁ।

ଦୈନିକ ଭାସ୍କରରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଯେବେ ବବିତା ଫୋଗାଟ୍ ତଦନ୍ତ ରିପୋର୍ଟ ପଢୁଥିଲେ ଭାରତୀୟ କ୍ରୀଡା ପ୍ରାଧୀକରଣ(ଏସଏଆଇ)ର ପୂର୍ବତନ ନିର୍ଦ୍ଦେଶିକା ତଥା ତଦନ୍ତ କମିଟିରେ ସାମିଲ୍ ରାଧିକା ଶ୍ରୀମନ ତାଙ୍କ ହାତରୁ ରିପୋର୍ଟ ଛଡାଇ ଆଣିଥିଲେ। ଶ୍ରୀମନ ତାଙ୍କ ସହ ଦୁର୍ବ୍ୟବହାର ମଧ୍ୟ କରିଥିଲେ ଏବଂ ତାଙ୍କ ଦ୍ଵାରା ଉଠାଯାଇଥିବା ପ୍ରଶ୍ନକୁ ଅଣଦେଖା କରିଥିଲେ। ସେ ନିଜର ଆପତ୍ତି ଉକ୍ତ ରିପୋର୍ଟରେ ଉଲ୍ଲେଖ କରିଥିବା କହିଛନ୍ତି ବବିତା ଫୋଗାଟ୍।

ରିପୋର୍ଟରେ ବ୍ରୁଜଭୂଷଣଙ୍କୁ କ୍ଲିନଚିଟ୍ ଦିଆଯିବା ଉପରେ ପ୍ରଶ୍ନ ଉଠାଇ ବବିତା ଫୋଗାଟ୍ କହିଛନ୍ତି, ଏହି ମାମଲାରେ ମୁଁ କିଛି କହି ପାରିବି ନାହିଁ। କ୍ଲିନ ଚିଟ୍ ଦେବାକୁ ଆମେ କିଏ ? ମୁଁ ଜଣେ ମହିଳା ହୋଇଥିବାରୁ ଆଜି ବି ଖେଳାଳିଙ୍କ ସହିତ ରହିଛି ଏବଂ ରହିବି।

ସେ କହିଛନ୍ତି, ଯାହାଙ୍କ ସହ ଭୁଲ୍ ହୋଇଛି, ମୁଁ ସେମାନଙ୍କ ସହିତ ଅଛି। ନ୍ୟାୟପାଳିକା ଉପରେ ମୋର ପୂର୍ଣ୍ଣ ଭରସା ରହିଛି। ମୁଁ ଅସହମତି ସହିତ ତଦନ୍ତ ରିପୋର୍ଟରେ ଦସ୍ତଖତ କରିଛି। କମିଟି ମାମଲାର ଏକତରଫା ତଦନ୍ତ କରିଛି। କମିଟିର ୫ ସଦସ୍ୟ ଗୋଟିଏ ପଟେ ଥିବା ବେଳେ ମୁଁ ଏକାକୀ ଗୋଟିଏ ପଟେ ଥିବା ବବିତା କହିଛନ୍ତି। ଖେଳାଳି ନିଜର ହକ୍ ପାଇଁ ଲଢେଇ କରୁଛନ୍ତି। ସେମାନଙ୍କର ଅଧିକାର କେହି ଛଡାଇ ନେଇ ପାରିବେ ନାହିଁ।