Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କିଆପଦର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ : ହଷ୍ଟେଲ ପରିଚାଳନାରେ ଅନିୟମିତତା ଅଭିଯୋଗ :ଜିଲ୍ଲାପାଳଙ୍କୁ ଭେଟିବାକୁ ୧୨କିମି ଚାଲିଲେ ୧୨୫ ଜଣ ସ୍କୁଲ ଛାତ୍ରୀ

କଳାହାଣ୍ଡି,୦୧/୧୦-ଖାଇବାକୁ ନଦେବା, ପ୍ରସାଧନ ସାମଗ୍ରୀ ନଦେବା, ଅଭିଯୋଗ କଲେ ମାରଧର କରିବା ଆଦି ଅଭିଯୋଗ ନେଇ ପାଦରେ ଚାଲି ଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସୁଥିଲେ ଶତାଧିକ ଛାତ୍ରୀ । ଏ ସଂପର୍କରେ ଖବର ପାଇ ଅଧା ରାସ୍ତାକୁ ଯାଇ ବୁଝାସୁଝା କରିଥିଲେ ଜିଲ୍ଲା ଶିକ୍ଷାଧିକାରୀ । କିନ୍ତୁ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିବୁ, ନିଜର ଦୁଃଖ ଜଣାଇବୁ ବୋଲି ଜିଦ୍ ଧରିଥିଲେ ଛାତ୍ରୀମାନେ । ଫଳରେ ବାଧ୍ୟ ହୋଇ ଜିଲ୍ଲା ଶିକ୍ଷାଧିକାରୀ ଏକ ବସ୍ ଯୋଗାଡ଼ କରିବା ସହିତ ଆଉ କିଛି ଛାତ୍ରୀଙ୍କୁ ନିଜ ଅଫିସ ଗାଡ଼ିରେ ବସାଇ ନିଜ କାର୍ଯ୍ୟାଳୟକୁ ନେଇ ଆସିଥିଲେ । ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଓ ଦବଙ୍ଗଗିରି ଚଳାଇଥିବା ଜଣେ ଶିକ୍ଷକଙ୍କ ତୁରନ୍ତ ବଦଳି କରାଯିବାକୁ ଦାବି କରିଥିଲେ ଛାତ୍ରୀମାନେ । ଦୁଇଜଣଙ୍କ ବଦଳି କରାନଗଲେ ସ୍କୁଲକୁ ଫେରିବୁନି ବୋଲି ଜିଦ୍ ଧରିଥିଲେ । ଶତାଧିକ ଛାତ୍ରୀଙ୍କ ଏତାଦୃଶ ଦାବି ଆଗରେ ମୁଣ୍ଡ ନୁଆଁଇଥିଲା ଜିଲ୍ଲା ଶିକ୍ଷା ବିଭାଗ, ଜିଲ୍ଲା ପ୍ରଶାସନ । ଛାତ୍ରୀମାନଙ୍କୁ ଡାକି ନିଜେ ଆଲୋଚନା କରିଥିଲେ ଜିଲ୍ଲାପାଳ । ଏପରି ଏକ ଘଟଣାକ୍ରମ ଆଜି କଳାହାଣ୍ଡି ଜିଲ୍ଲା ସାରା ଚର୍ଚ୍ଚାର ବିଷୟ ହୋଇଛି । ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ କିଆପଦର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଶତାଧିକ ଅନ୍ତେବାସୀ ଛାତ୍ରୀ ଛାତ୍ରୀନିବାସରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା, ପ୍ରସାଧନ ସାମଗ୍ରୀରେ ହେରଫେର, ପିଇବା ପାଣି, ଶୌଚାଳୟ ସମସ୍ୟା ଆଦିକୁ ନେଇ ବାରମ୍ବାର ଅଭିଯୋଗ କରିଥିବାବେଳେ ଏହାର ସମାଧାନ ହୋଇନଥିଲା । ବରଂ ପ୍ରଧାନ ଶିକ୍ଷୟିତ୍ରୀ ଅନ୍ତେବାସୀ ଛାତ୍ରୀମାନଙ୍କୁ ଧମକଚମକ ଦେବା, ସ୍କୁଲରୁ ବାହାର କରିଦେବା, ଦଶମ ପରୀକ୍ଷାରେ ଫେଲ କରାଇଦେବା ଭଳି ଧମକ ଦେଉଥିବା ଅଭିଯୋଗ କରି ଏନେଇ ଜିଲ୍ଲାପାଳଙ୍କୁ ଭେଟିବାକୁ କିଆପଦରରୁ ବାହାରି ଭବାନୀପାଟଣା ଆସୁଥିଲେ । ତେବେ ୧୨୫ ଜଣ ଛାତ୍ରୀ ଘଞ୍ଚ ଜଙ୍ଗଲ ପରିବେଷ୍ଟିତ କର୍ଲାପାଟ ଅଭୟାରଣ୍ୟ ଦେଇ ପ୍ରାୟ ୧୨ କିଲୋମିଟର ରାସ୍ତା ଚାଲିଚାଲି ଆସିବା ପରେ ଏନେଇ ଖବର ପାଇ ଓ ଘଟଣାର ସମ୍ବେଦନଶୀଳତା ଦୃଷ୍ଟିରୁ ଖୋଦ୍ ଜିଲ୍ଲା ଶିକ୍ଷାଧିକାରୀ ସୁଶାନ୍ତ କୁମାର ଚୋପଦାର ଛାତ୍ରୀମାନଙ୍କ ନିକଟରେ ପହଞ୍ଚି ବୁଝାସୁଝା କରିଥିଲେ । ଏପରିକି ଛାତ୍ରୀମାନଙ୍କୁ ବୁଝାଇବାକୁ ସ୍କୁଲର ଶିକ୍ଷକ-ଶିକ୍ଷୟିତ୍ରୀମାନେ ମଧ୍ୟ ସାଙ୍ଗରେ ଆସୁଥିଲେ । ତେବେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଚୋପଦାର ଅନେକ ବୁଝାଇବା ସତ୍ତ୍ୱେ ଛାତ୍ରୀମାନେ ନିଜ ଜିଦରେ ଅଟଳ ରହିଥିଲେ । ଶତାଧିକ ନାବାଳିକା ଓ କିଶୋରୀ ଛାତ୍ରୀ ହକ୍ ଓ ଅଧିକାର ପାଇଁ ରାସ୍ତାକୁ ଓହ୍ଲାଇ ଆସିଥିବାରୁ ଏହାକୁ ଗୁରୁତ୍ୱର ସହିତ ନେଇଥିଲା ଜିଲ୍ଲା ଶିକ୍ଷା ବିଭାଗ । ଘଟଣାସ୍ଥଳରୁ ହିଁ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଚୋପଦାର କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଜଣାଇବା ପରେ ଜିଲ୍ଲାପାଳ ସେମାନଙ୍କ ସହିତ କଥା ହେବାକୁ ରାଜି ହୋଇଥିଲେ । ଏହାପରେ ଏକ ବସ୍ ଯୋଗାଡ କରିବା ସହିତ ତାଙ୍କ ଅଫିସ ଗାଡିରେ ଛାତ୍ରୀମାନଙ୍କୁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଅଣାଯାଇଥିଲା । ସେଠାରେ ସମସ୍ତଙ୍କ ପାଇଁ ଖାଇବା ଓ ପିଇବା ପାଣିର ବ୍ୟବସ୍ଥା ପରେ ଛାତ୍ରୀମାନଙ୍କ ମଧ୍ୟରୁ ଦଶଜଣ ଛାତ୍ରୀଙ୍କୁ ଜିଲ୍ଲାପାଳ ଭେଟିବାକୁ ଡାକିବା ସହିତ ସେମାନଙ୍କ ଅଭିଯୋଗ ସବୁ ଶୁଣିଥିଲେ । ଏହାସହିତ ଦିନକ ପରେ ସ୍କୁଲକୁ ଯାଇ ସବୁକିଛି ଅନୁଧ୍ୟାନ କରିବାକୁ ଛାତ୍ରୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏନେଇ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁନୀତା ଦାସ ନିଜ ପ୍ରତିକ୍ରିୟା ରଖିବା ସହିତ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରାଯାଉଛି, ତାଙ୍କୁ ଜାଣିଶୁଣି ବଦନାମ କରିବା ପାଇଁ ଛାତ୍ରୀମାନଙ୍କୁ ଉସୁକାଯାଉଛି ବୋଲି କହିବା ସହିତ ଯେ କୌଣସି ତଦନ୍ତ ପାଇଁ ସେ ପ୍ରସ୍ତୁତ ବୋଲି କହିଛନ୍ତି । ସେହିପରି ଏହି ଘଟଣାରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଚୋପଦାର ମତ ରଖିବା ସହିତ ଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଥିଲା, ଜିଲ୍ଲା ପ୍ରଶାସନ ଓ ଆମ ବିଭାଗ ତରଫରୁ ତାକୁ ଖୁବ୍ ଶୀଘ୍ର ସମାଧାନ କରାଯିବ ବୋଲି କହିବା ସହିତ ସେମାନଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବୁଲାଇବାକୁ ଆଣିଥିଲି । ଛାତ୍ରଛାତ୍ରୀମାନେ ପାଠପଢା ବ୍ୟତୀତ ଜିଲ୍ଲାର ପ୍ରଶାସନିକ ବ୍ୟବସ୍ଥା, ଦର୍ଶନୀୟ ସ୍ଥାନ ଆଦି ବୁଲି ଦେଖିବା ଓ ଜ୍ଞାନ ଆହରଣ କରିବା ଉଚିତ ବୋଲି କହିବା ସହିତ ଛାତ୍ରୀମାନେ ଚାଲି ଚାଲି ଆସିବା ଘଟଣାକୁ ଆଡେଇ ଯାଇଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସ୍କୁଲରେ ଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିବାବେଳେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଅଭିଯୋଗକାରୀ ଛାତ୍ରୀମାନଙ୍କୁ ପ୍ରତିଶୋଧ ନେବା ଭୟରେ ଛାତ୍ରୀମାନେ ଆଶଙ୍କା ମଧ୍ୟରେ ରହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ