ସୁଧୁରୁଛି ଭଦ୍ରକ ସ୍ଥିତି, ୪ ଦିନ ପରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା


ଭଦ୍ରକ: ସାମାଜିକ ହିଂସାକୁ ନେଇ ଅଶାନ୍ତ ଥିବା ଭଦ୍ରରେ ଧୀରେ ଧୀରେ ସୁଧୁରୁଛି ସ୍ଥିତି । ୪ ଦିନ ପରେ ଗତକାଲି ମଧ୍ୟରାତ୍ରିରୁ ଜିଲ୍ଲାରେ ସ୍ୱାଭାବିକ ହୋଇଛି ଇଣ୍ଟରନେଟ୍‌ ସେବା । ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଦେଖାଦେଇଥିବା ଉତ୍ତେଜନା ପରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଥିଲା । ଇଣ୍ଟରନେଟ୍‌ ସେବା ସ୍ୱାଭାବିକ ହୋଇଥିଲେ ମଧ୍ୟ ୧୬୩ ଜାରି ରହିଛି ।

ଗତକାଲି ପୋଲିସ ଡିଜି ୱାଇ.ବି. ଖୁରାନିଆ ଭଦ୍ରକ ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଥିଲେ । ସୋସିଆଲ ମିଡିଆରେ ହେଉଥିବା ମିଥ୍ୟା ଅପପ୍ରଚାର ଓ ଗୁଜବଠୁ ଦୂରେଇ ରହିବାକୁ ଜନସାଧାରଣଙ୍କୁ ଅପିଲ୍‌ କରିଥିଲେ ।

ସୋସିଆଲ ମିଡିଆରେ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟ ବିରୋଧରେ ଜଣେ ବ୍ୟକ୍ତିଙ୍କ ପୋଷ୍ଟକୁ ନେଇ ଅଶାନ୍ତ ହୋଇ ଉଠିଥିଲା ଭଦ୍ରକ ସହର । ଉକ୍ତ ସଂପ୍ରଦାୟର ଲୋକେ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ଦାବିରେ ଶୁକ୍ରବାର ଅପରାହ୍ନରେ ସନ୍ଥିଆ ପୋଲ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଭଦ୍ରକ ତହସିଲଦାର ଓ ପୁରୁଣା ବଜାର ପୋଲିସ ସେଠାରେ ପହଞ୍ଚି ସେମାନଙ୍କୁ ବୁଝାଶୁଝା କରିବା ସହିତ ରାସ୍ତାରୋକରୁ ଓହରି ଯିବାକୁ କହିଥିଲେ ।

ମାତ୍ର ସ୍ଥିତି ସାଂଘାତିକ ରୂପ ନେଇଥିଲା । ଆନ୍ଦୋଳନକାରୀ ଆକ୍ରମଣ କରିବାରୁ ତିନି ପୋଲିସ ଅଧିକାରୀ ସହ କିଛି କର୍ମଚାରୀ ଆହତ ହୋଇଥିଲେ । ଭଦ୍ରକ ତହସିଲଦାରଙ୍କ ଗାଡ଼ିକୁ ମଧ୍ୟ ଆନ୍ଦୋଳନକାରୀ ଭାଙ୍ଗି ଦେଇଥିଲେ । ଏମିତିକି ଏହି ଘଟଣାକୁ ନେଇ ଧାମନଗର ଥାନା ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା ।

ପୋଲିସକୁ ଆକ୍ରମଣ ଘଟଣାରେ ବର୍ତ୍ତମାନ ସୁଦ୍ଧା ଗିରଫଦାରୀ ସଂଖ୍ୟା ୨୭ରେ ପହଞ୍ଚିଛି । ଭଦ୍ରକରୁ ୧୦ ଓ ଧାମନଗର ଥାନା ଅଞ୍ଚଳରୁ ୧୭ ଜଣଙ୍କୁ ଗିରଫ କରାଯାଇଛି ।