ଗଜପତି ଜିଲ୍ଳାର କାଶୀନଗର ଠାରେ ସଂଯୁକ୍ତ କିଶାନ୍ ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ ଦିବସ ପାଳିତ


ପାରଳାଖେମୁଣ୍ଡି:୩/୧୦(ଗରୁଡ଼ ଧ୍ୱଜ ଚୌଧୁରୀ)କୃଷକ ସଂଗଠନ ମାନଙ୍କ ସର୍ବଭାରତୀୟ ମଞ୍ଚ “ସଂଯୁକ୍ତ କିଶାନ୍ ମୋର୍ଚ୍ଚା” ପକ୍ଷରୁ ଆଜି ସର୍ବଭାରତୀୟ ପ୍ରତିବାଦ ଦିବସ ପାଳିତ ହୋଇଯାଇଛି ।ସଂଯୁକ୍ତ କିଶାନ୍ ମୋର୍ଚ୍ଚାର ସର୍ବଭାରତୀୟ କମିଟିର ଡାକରା ପରିପ୍ରେକ୍ଷିରେ ଆଜି ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ଠାରେ ବିଭିନ୍ନ କୃଷକ ସଂଗଠନ ମାନଙ୍କ ପକ୍ଷରୁ ଆୟୋଜିତ ପ୍ରତିବାଦରେ ବିଭିନ୍ନ ଗ୍ରାମର ଶତାଧିକ କୃଷକ ଯୋଗ ଦେଇଥିଲେ ।ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ୨୦୨୦ ମସିହାର ଆଜିର ଦିନରେ ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀ ଠାରେ ବିଜେପି ନେତା ତଥା ତତ୍କାଳୀନ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଟେନୀ’ଙ୍କ ପୁଅ ଓ ତାଙ୍କ ସହଯୋଗୀ ଗୁଣ୍ଡାମାନେ ଶାନ୍ତିପୂର୍ଣ୍ଣ ଭାବେ ରାସ୍ତାରେ ଯାଉଥିବା କୃଷକ ଆନ୍ଦୋଳନର କର୍ମୀମାନଙ୍କ ଉପରେ ନିଜର ଗାଡି ଚଳାଇ ଆକ୍ରମଣ କରିଥିଲେ । ଏଥିରେ ଚାରି ଜଣ କୃଷକ’ଙ୍କ ସହ ଜଣେ ସ୍ଥାନୀୟ ସାମ୍ବାଦିକ ପ୍ରାଣ ହରାଇଥିବା ବେଳେ ଅନେକ ଗୁରୁତର ଭାବେ ଆହତ ହୋଇଥିଲେ । ମୋଦି ସରକାରଙ୍କ ତିନି କଳା ଆଇନକୁ ବିରୋଧ କରି ସେତେବେଳେ ଦିଲ୍ଲୀ ସୀମାନ୍ତରେ କୃଷକ ମାନଙ୍କ ଆନ୍ଦୋଳନ ଚାଲିଥିବା ବେଳେ ଲକ୍ଷ୍ମୀପୁର ଖେରୀର ଏହି ଘଟଣା ସେତେବେଳେ ସାରା ଦେଶରେ ଚହଳ ପକାଇଥିଲା । ସେହି ଘଟଣାରେ ଶହୀଦ ହୋଇଥିବା କୃଷକମାନଙ୍କୁ ମନେ ପକାଇବା ପାଇଁ ତଥା ସରକାରଙ୍କ କୃଷକ ବିରୋଧି ନୀତିର ପ୍ରତିବାଦ କରିବାକୁ ପ୍ରତିବର୍ଷ ଏହି ଦିନକୁ ପ୍ରତିବାଦ ଦିବସ ଭାବେ ସଂଯୁକ୍ତ କିଶାନ୍ ମୋର୍ଚ୍ଚା ପକ୍ଷରୁ ପାଳନ କରାଯାଉଛି ।ଆଜି ସଂଯୁକ୍ତ କିଶାନ୍ ମୋର୍ଚ୍ଚାର ଡାକରାରେ ଅଖିଳ ଭାରତ କିଶାନ୍ ମଜଦୁର ସଭା (ଏ:ଆଇ:କେ:ଏମ:ଏସ:) ର କାଶୀନଗର ବ୍ଲକ କମିଟି ପକ୍ଷରୁ କାଶୀନଗର ଠାରେ ଲକ୍ଷ୍ମୀପୁର ଖେରୀର କୃଷକ ହତ୍ୟା ପ୍ରତିବାଦ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତ କିଶାନ୍ ମଜଦୁର ସଭା ର ଜିଲ୍ଲା ସମ୍ପାଦକ ଶ୍ରୀ କେଦାର ଶବର , କାଶୀନଗର ବ୍ଲକ ସଭାପତି ଶ୍ରୀ ସମ୍ବାରୁ ଶବର ଙ୍କ ସମେତ ମଜଦୂର ସଭାର ଶ୍ରୀ ଚୈତନ୍ୟ ଶବର , ଶ୍ରୀ ଜୁନେସ ମେଦି ଓ ଗଜପତି ଜିଲ୍ଲା ରଈତ କୁଲି ରଈତ ସଂଘ ପକ୍ଷରୁ ଶ୍ରୀ ଆର୍.ଲୋକନାଥାମ୍ ପ୍ରମୁଖ ଯୋଗ ଦେଇ କେନ୍ଦ୍ର ସରକାରଙ୍କ କୃଷକ ବିରୋଧି ନୀତିର ପ୍ରତିବାଦ କରିଥିଲେ । କୃଷକମାନଙ୍କ ସବୁ ଫସଲର ସର୍ବନିମ୍ନ ସହାୟକ ଦର ପାଇଁ ଆଇନ ପ୍ରଣୟନ କରିବା , ସବୁ କୃଷକଙ୍କ ସମସ୍ତ କୃଷିଋଣ ଛାଡ କରିବା , କୃଷକ ବିରୋଧି ପ୍ରସ୍ତାବିତ ବିଦ୍ୟୁତ୍ ବିଲକୁ ପ୍ରତ୍ୟାହାର କରିବା , ଜଙ୍ଗଲ ଜମିରେ ଚାଷବାସ କରୁଥିବା ସମସ୍ତ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବା , ୬୦ ବର୍ଷ ପରେ ସବୁ କୃଷକଙ୍କୁ ମାସିକ ସର୍ବନିମ୍ନ ପାଞ୍ଚ ହଜାର ଟଙ୍କା ସାମାଜିକ ଭତ୍ତା ପ୍ରଦାନ କରିବା ଆଦି ଦାବି କରା ଯାଇଥିଲା ।

ଗଜପତି ଜିଲ୍ଲାରେ ଆନ୍ଧ୍ର ଅଧିକାରୀମାନଙ୍କ ବେଆଇନ ପ୍ରବେଶକୁ ପ୍ରଶୟ ଦିଆଯିବ ନାହିଁ…. ଗଜପତି ଜିଲ୍ଲାପାଳ ପାରଳାଖେମୁଣ୍ଡି,୧୯/୭(ଗରୁଡ ଧ୍ୱଜ ଚୌଧୁରୀ) ଓଡ଼ିଶା ସୀମାରେ ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶ କରି ଓଡ଼ିଶାର 3 ଗୋଟି ଗାଁକୁ ଆନ୍ଧ୍ରର ବୋଲି ଦାବି କରିବା ବ୍ୟର୍ଥ ଉଦ୍ୟମକୁ କେବେ ବି ସଫଳ କରି ଦିଆଯିବନାହିଁ. ଓଡିଶା ତଥା ଗଜପତି ଜିଲ୍ଲାର ପରିସୀମା ମଧରେ ଆନ୍ଧ୍ର ଅଧିକାରୀଙ୍କ ବେଆଇନ ପ୍ରବେଶ ଓ ବିଭିନ୍ନ ମିଥ୍ୟା ଓ ବିଭ୍ରାନ୍ତିକର ମନ୍ତବ୍ୟକୁ କେବେ ବି ପ୍ରଶୟ ଦିଆ ଯିବନାହିଁ ବୋଲି ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ଦୃଢତାର ସହ ପ୍ରକାଶ କରିଛନ୍ତି.ଏହି ଘଟଣା ନେଇ ଗଜପତି ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ଆକସନ୍ ମୁଡ୍‌ରେ ରହିଥ‌ିବା ଜଣାପଡ଼ିଛି। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧୀନ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା, ଆମରିଙ୍ଗି ଓ ବୁରୁସିଂ ଆଦି 3 ଗୋଟି ଗ୍ରାମକୁ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ଓ ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର ପଣ୍ଡା ପହଞ୍ଚି ଲୋକଙ୍କ ସହ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଆନ୍ଧ୍ରର କୌଣସି ଅଧିକାରୀ ଆସିଲେ ଡରିବାର ନାହିଁ. ତୁରନ୍ତ ପ୍ରଶାସନକୁ ଜଣାଇବାକୁ ଜିଲ୍ଲାପାଳ ଗ୍ରାମବାସୀଙ୍କୁ କହିଛନ୍ତି. ଓଡ଼ିଶା ଜାଗା ଛାଡିବୁନି କି ଆନ୍ଧ୍ର ଜାଗା ମାଡ଼ିବୁ ନାହିଁ ବୋଲି ଜିଲ୍ଲାପାଳ ବିଜୟ କୁମାର ଦାସ ଗ୍ରାମବାସୀମାନଙ୍କୁ ଦୃଢତାର ସହ ପ୍ରକାଶ କରିଛନ୍ତି। ଏଥିସହ ମାଣିକପାଟଣାରେ ତିଆରି ହୋଇଥିବା ଆନ୍ଧ୍ରର ଅଙ୍ଗନବାଡ଼ି କେନ୍ଦ୍ରକୁ ବୁଲି ଦେଖୁବା ସହ ଉକ୍ତ କେନ୍ଦ୍ରର ସୀମା ଚିହ୍ନଟ ପାଇଁ ରାୟଗଡ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୀମାକୁ ନେଇ କୌଣସି ବିବାଦ ନାହିଁ ଉନ୍ନୟନ କାର୍ଯ୍ୟ ହୋଇଥିବା ଅଞ୍ଚଳ ଓଡ଼ିଶାର, ଓଡ଼ିଶା ସୀମା ଭିତରେ ହିଁ ରହିଛି. ଗତ କିଛି ଦିନ ତଳେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଏହି ଅଞ୍ଚଳ ଗସ୍ତ କରି ସମସ୍ତ ଅନୁଧ୍ୟାନ କରିବା ପରେ ଯେଉଁ ରିପୋର୍ଟ ପ୍ରଦାନ କରିଛନ୍ତି ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାପାଳଙ୍କୁ ଚିଠି ଲେଖୁ ଜଣାଇ ଦିଆଯାଇଛି। ଏହି ଗସ୍ତ ସମୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ, ସିଡିପିଓ ବି. କାମଳାଙ୍ଗୀ, ଏସ୍‌ ଡିପିଓ ମାଧବାନନ୍ଦ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ମାୟାଧର ସାହୁ, ଗାରାବନ୍ଧ ଥାନା ଅଧିକାରୀ ପ୍ରଶାନ୍ତ ନିଶିକା ପ୍ରମୁଖଙ୍କ ସହ କେତେଜଣ ପ୍ରଶାସନିକ ଅଧିକାରୀ ଏହି 3 ଗୋଟି ଗ୍ରାମକୁ ଉପଜିଲ୍ଲାପାଳଙ୍କ ସହ ଗସ୍ତ କରି ସମସ୍ତ ଅନୁଧ୍ୟାନ କରିଥିଲେ। ମୋଟାମୋଟି ଭାବେ ଏହି ସମସ୍ତ ଅଞ୍ଚଳ କେବଳ ଓଡିଶାର ଏବଂ ଗଜପତି ଜିଲ୍ଲା ଅଧୀନରେ ରହିଥିବା ସ୍ପଷ୍ଟ ହୋଇଯାଇଛି. ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ଆହୁରି ଅନେକ ବିକାଶମୂଳକ ଜନ ହିତକର କାର୍ଯ୍ୟ କରାଯିବ. ତେଣୁ ଅଞ୍ଚଳବାସୀ ଆନ୍ଧ୍ରର କେତେକ ଅଧିକାରୀଙ୍କ ବିଭ୍ରାନ୍ତିମୂଳକ ଓ ଭୁଲ ତଥ୍ୟକୁ କୌଣସି ଭାବେ ଗୁରୁତ୍ୱ ନ ଦେଇ ଓଡିଶା ପ୍ରଶାସନର ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ନିଜ ନିଜକୁ ସାମିଲ କରି ଏହି ଅଞ୍ଚଳର ଉନ୍ନତି ଓ ବିକାଶ ପାଇଁ ସହଯୋଗ କରନ୍ତୁ ବୋଲି ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ ସମ୍ପୃକ୍ତ ଅଞ୍ଚଳବାସୀଙ୍କୁ ନିବେଦନ କରିଛନ୍ତି.