ସୁନ୍ଦରଗଡ଼: ମାତ୍ର ଦୁଇ ହଜାର ଟଙ୍କା ପାଇଁ ଯୁବକଙ୍କୁ ହତ୍ୟା । ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଲମତି ଗାଁରେ । ମୃତକ ହେଲେ ଶୈଳେନ୍ଦ୍ର ମାଝୀ । ବୟସ ୨୫ ବର୍ଷ ।
ଅଭିଯୋଗ ଅନୁସାରେ ବାହାର ରାଜ୍ୟକୁ କାମ କରି ଯିବାକୁ ଶୈଳେନ୍ଦ୍ର ଭୁଲରୁ ମାଝୀଙ୍କଠାରୁ ୨ ହଜାର ଟଙ୍କା ଅଗ୍ରୀମ ଆଣିଥିଲେ । ହେଲେ ପରିବର୍ତ୍ତୀ ସମୟରେ ଶୈଳେନ୍ଦ୍ର କାମ କରିବାକୁ ଯିବାକୁ ମନା କରିଦେଇଥିଲେ । ନେଇଥିବା ଅଗ୍ରୀମ ଟଙ୍କା ନଫେରାଇବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ଭୁଲରୁ ଶୈଳେନ୍ଦ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ଶୈଳେନ୍ଦ୍ରଙ୍କୁ ଦୁଇ ଯୁବକ ଡାକ୍ତରଖାନା ନେଉଥିବାବେଳେ ଅଧାରାସ୍ତାରେ ଦୁର୍ଘଟଣାର ଶୀକାର ହୋଇଥିଲେ । ସେଠାରେ ଶୈଳେନ୍ଦ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କୁ ନେଉଥିବା ଦୁଇ ଯୁବକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
ଆକ୍ରମଣ କରିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି । ଖବର ପାଇବା ପରେ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି ।