ଟ୍ରାକରେ ଛିଡି ପଡ଼ିଲା ଓଭର ହେଡ୍‌ ଇଲେକ୍ଟ୍ରିକ ତାର


କୋରାପୁଟ: ଟ୍ରାକରେ ଛିଡି ପଡ଼ିଲା ଓଭର ହେଡ୍‌ ଇଲେକ୍ଟ୍ରିକ ତାର । ମରାମତି କରାଯିବାର ୨ ଘଣ୍ଟା ପରେ ସ୍ୱାଭାବିକ ହୋଇଛି ଟ୍ରେନ ଚଳାଚଳ । ଫଳରେ ଯାତ୍ରୀମାନେ ନିଜର ଗନ୍ତବ୍ୟ ସ୍ଥଳକୁ ଯାଇପାରିଛନ୍ତି । 

ଆଜି ସକାଳେ ବାଇଗୁଡ଼ା-କାକେରିଗୁମ୍ମା ରେଲୱେ ଟ୍ରାକ୍ ଉପରେ ଓଭର ହେଡ୍‌ ଇଲେକ୍ଟ୍ରିକ ତାର ଛିଡ଼ି ପଡ଼ିଥିଲା । ଏଥିଯୋଗୁଁ ଟ୍ରେନ୍‌ ଚଳାଚଳ ବ୍ୟାହତ ହୋଇଥିଲା । ଫଳରେ ସେହି ରୁଟ୍ ଦେଇଯିବାକୁ ଥିବା ରାଉରକେଲା ଇଣ୍ଟରସିଟି ଲକ୍ଷ୍ମୀପୁରରେ ଅଟକି ରହିଥିଲା । ମରାମତି ପରେ ୨ ଘଣ୍ଟା ବିଳମ୍ବରେ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିଛି ଟ୍ରେନ । ସେହିପରି  ହୀରଖଣ୍ଡ ଏକ୍ସପ୍ରେସ୍ ବି ୨ଘଣ୍ଟା ବିଳମ୍ବରେ ପହଞ୍ଚିଥିବା ବେଳେ ସମେଲେଶ୍ୱରୀ ଓ DMU ଢେଇ ଘଣ୍ଟା ବିଳମ୍ବରେ କୋରାପୁଟ ଛାଡ଼ିଛି ।

ରେଳ ଚଳାଚଳ ବାଧାପ୍ରାପ୍ତ ହେବା ଯୋଗୁଁ ଯାତ୍ରୀମାନେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ । ରେଳ ବିଭାଗ କର୍ମଚାରୀ ଓ ଟେକ୍ନିସିଆନ ଟିମ୍ ପହଞ୍ଚି ମରାମତି କରିବା ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି ।