କୂଳରେ ପହଞ୍ଚିବା ପୂର୍ବରୁ ଓଲଟିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଗଲେ ୧୦ ମତ୍ସ୍ୟଜୀବୀ


ଧାମରା: ଭଦ୍ରକ ଜିଲ୍ଲା ଧାମରା ବନ୍ଦର ନିକଟ ବୈତରଣୀ ମୁହାଣରେ ବୁଡ଼ିଗଲା ମତ୍ସ୍ୟଜୀବୀଙ୍କ ଡଙ୍ଗା । ତେବେ ସେଥିରେ ଥିବା ସମସ୍ତ ୧୦ ମତ୍ସ୍ୟଜୀବୀ ସୁରକ୍ଷିତ ଥିବା ଜଣାପଡ଼ିଛି ।

ଦୀଘା ଅଞ୍ଚଳର ୧୦ ମତ୍ସ୍ୟଜୀବୀ କିଛି ଦିନ ହେବ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ । ବାତ୍ୟା ଖବର ଶୁଣି ମତ୍ସ୍ୟଜୀବୀମାନେ କୂଳକୁ ଫେରୁଥିଲେ । ମାତ୍ର କୂଳ ପାଖରେ ପହଞ୍ଚିବା ପରେ ଭାରସାମ୍ୟ ହରାଇ ଡଙ୍ଗାଟି ଉପରକୁ ଉଠି ନପାରି ବୁଡ଼ି ଯାଇଥିଲା । 

ଖବର ପାଇ ମେରାଇନ୍‌ ପୋଲିସ୍‌ ଓ ଓଡ୍ରାଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ । ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହ ମିଶି ସେମାନେ ଡଙ୍ଗାରୁ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । 

ମେରାଇନ୍‌ ପୋଲିସ୍‌ ଓ ଓଡ୍ରାଫ୍‌ ଟିମ୍‌ ଡଙ୍ଗାଟିକୁ କୂଳକୁ ଆଣିବାକୁ ଚେଷ୍ଟା ଚଳାଇଥିବା ବେଳେ ତାହା ସମ୍ଭବ ହୋଇ ପାରି ନଥିବା ଜଣାଯାଇଛି। ଏବେ ଜୁଆର ଯୋଗୁଁ ପାଣିର ସ୍ରୋତ ଅଧିକ ଥିବାରୁ ଡଙ୍ଗାଟିକୁ ଉଦ୍ଧାର କରିବା ସମ୍ଭବ ହୋଇ ପାରୁନି ।  ସମ୍ଭାବ୍ୟ ବାତ୍ୟା ‘ଦାନା’ ଯୋଗୁଁ ଗଭୀର ସମୁଦ୍ରରୁ ମତ୍ସ୍ୟଜୀବୀଙ୍କୁ ଫେରି ଆସିବାକୁ କୁହାଯାଇଛି । ଫଳରେ ଧାମରା ମୁହାଣରେ ଥିବା ୨୫୩ ପଞ୍ଜୀକୃତ ହୋଇଥିବା ବୋଟ ଗଭୀର ସମୁଦ୍ରରୁ ଫେରିଆସିଛନ୍ତି । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ସେମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରିଛି ପ୍ରଶାସନ ।