ବାତ୍ୟା ‘ଦାନା’ ଅପଡେଟ: ଭିତରକନିକାରୁ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ !


ଭୁବନେଶ୍ବର: ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ଦାନା’ । ବାତ୍ୟାର ଚିତ୍ର ଯେତେ ସ୍ପଷ୍ଟ ହେବାରେ ଲାଗିଛି, ସେହି ଅନୁସାରେ ଏହାର ଲ୍ୟାଣ୍ଡଫଳ ସ୍ଥାନରେ ମଧ୍ୟ ପରିବର୍ତ୍ତନ ଘଟୁଛି । ପାଣିବାଗ ବିଭାଗର ଲାଟେଷ୍ଟ ଅପଡେଟ ଅନୁସାରେ, ସମ୍ଭାବ୍ୟ ବାତ୍ୟା କେନ୍ଦ୍ରାପଡାରେ ଲ୍ୟାଣ୍ଡଫଲ କରିପାରେ । କେନ୍ଦ୍ରାପଡ଼ଶର ଭିତରକନିକାରୁ ଧାମରା ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିବ ବୋଲି ପୂର୍ବାନୁମାନ କରାଯାଉଛି ।

ଆନ୍ତର୍ଜାତିକ ମଡେଲର ଆକଳନ ଅନୁସାରେ ଭୟଙ୍କର ହେବ ବାତ୍ୟା । କେନ୍ଦ୍ରାପଡାରୁ ସାଗର ଦ୍ବୀପ ମଧ୍ୟରେ ଛୁଇଁବ ସ୍ଥଳଭାଗ । ଆଜି ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ । ପରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ସ୍ଥଳଭାଗ ମୁହାଁ ହେବ । ଆଜି ରାତିରୁ ରାଜ୍ୟରେ ବଦଳିଯିବ ପାଗ । ବର୍ଷା ସହ ବଢିବ ପବନର ବେଗ ।

ଉଡ଼ାଇ ଦେଇ ବୁଡ଼ାଇ ଦେବ ଉତ୍ତର ଉପକୂଳ ଓଡ଼ିଶା । ଆସନ୍ତାକାଲି ରାତିରୁ ଭୟଙ୍କର ରୂପ ନେବ ବାତ୍ୟା । ଏଥିପାଇଁ ୭ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଭୀଷଣରୁ ଅତି ଭୀଷଣ ବର୍ଷା ସହ ବହିବ ୧୨୦ କିମି ବେଗରେ ପବନ । ଭାଙ୍ଗିବ ବଡ଼ ବଡ଼ ଗଛ । ଉଡିଯିବ ଚାଳ ଛପର ଘର । ଏନେଇ ସତର୍କ କରାଇଛି ଭାରତୀୟ ପାଣିପାଗ ବିଭାଗ । ୨୪ ଓ ୨୫ ତାରିଖରେ ଘାତକ ହେବ ଝଡ ବର୍ଷା । ସମ୍ଭାବ୍ୟ ବାତ୍ୟାର ଗତିପଥ ନେଇ ଆଇଏମଡି ଦେଇଛି ବଡ ସୂଚନା ।

ବାତ୍ୟାଟି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରୁ ଉତ୍ତର ପଶ୍ଚିମ ଦିଗରେ ଗତି କରି ଉପକୂଳ ମୁହାଁ ହେବ । ଲ୍ୟାଣ୍ଡଫଲ ସମୟରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ ଏବଂ ଯାଜପୁରରେ ହେବ ଭୀଷଣ ବର୍ଷା । ବିଶେଷ କରି ୩୦୦ ମିଲିମିଟରରୁ ଅଧିକ ବର୍ଷା ହେବା ସହ ଘଣ୍ଟାପ୍ରତି ୧୦୦ରୁ ୧୨୦ କିମି ବେଗରେ ପବନ ବହିବ ବୋଲି ସତର୍କ କରାଇଛି ପାଣିପାଗ ବିଭାଗ ।