ସୁନା ସଫା ନାଁରେ ଘର ସଫା କରୁଥିବା ଗ୍ୟାଙ୍ଗର ୯ ସଦସ୍ୟ ଗିରଫ


ରାଉରକେଲା: ସୁନା ଅଳଙ୍କାର ସଫା କରିଦେବାର ଲୋଭ ଦେଖାଉଥିଲେ । ଏହାପରେ ମଉକା ଦେଖି କରୁଥିଲେ ହାତ ସଫେଇ । ୩ ବର୍ଷ ହେଲା ଏମିତି ଅନେକ ଲୋକଙ୍କୁ ଲଗାଇଥିଲେ ଚୂନା । ସୁନା ସଫା କରିଦେବା ନାଁରେ ଆଖି ଆଗରୁ ସୁନା ନେଇ ଫେରାର ହୋଇ ଯାଉଥିଲେ ।

ଏଭଳି ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ରାଉରକେଲା ପୋଲିସ । ଆଉ ଜାଲ ପକାଇ ଏହି ଗ୍ୟାଙ୍ଗର ୯ ଜଣଙ୍କୁ ବାନ୍ଧିଛି । ଗିରଫ ଅଭିଯୁକ୍ତମାନେ ବିହାର ଭାଗଲପୁର ଅଞ୍ଚଳର ବୋଲି ଜଣାପଡ଼ିଛି । ସେମାନଙ୍କଠାରୁ ୧୦୩ ଗ୍ରାମ୍ ସୁନା, ୮ଟି ମୋବାଇଲ, ୩ଟି ବାଇକ୍ ସହ ଅନ୍ୟ ଚୋରା ସାମଗ୍ରୀ ଓ ବିଭିନ୍ନ ପ୍ରକାର କେମିକାଲ ମଧ୍ୟ ଜବତ ହୋଇଛି ।

ଏନେଇ ପଶ୍ଚିମାଞ୍ଚଳ ଡିଆଇଜି କହିଛନ୍ତି, ଗତ ୩ ବର୍ଷ ହେଲା ଉକ୍ତ ଲୁଟେରାମାନେ ସାଧାରଣ ଲୋକଙ୍କୁ ଲୁଟି ଚାଲିଥିଲେ । ଆମେ ଏହା ଉପରେ ନଜର ରଖିଥିଲୁ । ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ସେମାନଙ୍କୁ ମାଡ଼ି ବସିଛୁ । ଗିରଫ ସମସ୍ତ ଅଭିଯୁକ୍ତ ବିହାର ଭାଗଲପୁର ଅଞ୍ଚଳର । ସେମାନଙ୍କୁ ଏଠାରେ କିଏ ସାହାଯ୍ୟ କରିଥିଲା ତାକୁ ଖୋଜି ବାହାର କରିବାକୁ ଚେଷ୍ଟା ଜାରି ରଖିଛୁ ।

ଗିରଫ ଅଭିଯୁକ୍ତଙ୍କ ନିକଟରୁ ଜବତ ସୁନାକୁ ପ୍ରକୃତ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରୁଛୁ । ଏଥିସହ ଘଟଣାର ଆହୁରି ଛାନଭିନ ଚାଲିଛି ବୋଲି ସେ କହିଛନ୍ତି ।