ସୁନ୍ଦରଗଡ଼: ପରକିୟା ପ୍ରୀତିରୁ ରକ୍ତ ରଞ୍ଚିତ ହେଲା ସୁନ୍ଦରଗଡ଼ । ଦୁଇ ଯାଯାବର ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ । ଗଡ଼ିଲା ୫ ମୁଣ୍ଡ । ମୃତକଙ୍କ ମଧ୍ୟରେ ୩ ମହିଳା । ସୁନ୍ଦରଗଡ଼ ସଦର ଥାନା କରମଡିହି ଅଞ୍ଚଳର ଗୀତାପଡ଼ାରେ ଘଟିଛି ଏହି ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷ ।
୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୪ ଆହତଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ, ପରକୀୟା ପ୍ରୀତିରୁ ଗୋଷ୍ଠୀ ସଂଘର୍ଷ ଘଟିଥିବା ସୂଚନା ମିଳିଛି ।
ଆକ୍ରମଣକାରୀ ଗୋଷ୍ଠୀ ଜଣେ ମହିଳା ଓ ଦୁଇ ଶିଶୁଙ୍କୁ ନେଇ ଫେରାର ହୋଇଯାଇଥିବା ବେଳେ, ସେମାନଙ୍କୁ ଧରିବାକୁ ପୋଲିସ ତନାଘନା ଚଳାଇଛି । ଘଟଣାସ୍ଥଳରେ ପଶ୍ଚିମାଞ୍ଚଳ ଡିଆଇଜି ଓ ସୁନ୍ଦରଗଡ଼ ଏସପି ପହଞ୍ଚିଛନ୍ତି ।
ଗତ କିଛି ମାସ ହେଲା ମହାରାଷ୍ଟ୍ର ୱାର୍ଦ୍ଧା ଅଞ୍ଚଳର ଏକ ଯାଯାବର ଦଳ ଆସି କରମଡିହି ନିକଟରେ ତମ୍ବୁ ଲଗାଇ ରହି ଆସୁଛନ୍ତି । ସେମାନଙ୍କ ମଧ୍ୟରୁ ଅବିନାଶ ପାୱାରର ପ୍ରଥମ ପତ୍ନୀ ନିଜ ସ୍ୱାମୀ ଓ ପୁଅକୁ ଛାଡ଼ି ଅନ୍ୟ କାହା ସହିତ ପଳାଇଥିଲେ । ଏହାପରେ ଅବିନାଶ ଆଉ ଜଣେ ବିବାହିତା ମହିଳାଙ୍କୁ ବିବାହ କରିଥିଲେ । ତାଙ୍କ ଦ୍ୱିତୀୟ ପତ୍ନୀଙ୍କର ବି ଦୁଇ ସନ୍ତାନ ଅଛନ୍ତି । ତେବେ ତାଙ୍କ ଦ୍ୱିତୀୟ ପତ୍ନୀଙ୍କର ପୂର୍ବ ପରିବାର ସହ ପୂର୍ବରୁ ଝଗଡ଼ା ଲାଗି ରହୁଥିଲା ।
ଗତକାଲି ରାତି ପ୍ରାୟ ୧୧ଟା ବେଳେ ସମସ୍ତେ ଶୋଇଥିବା ବେଳେ ହଠାତ୍ ୪ ଜଣ ଆସି ଅତର୍କିତ ଭାବେ ଅବିନାଶଙ୍କ ପରିବାର ସଦସ୍ୟଙ୍କୁ ଭୁଜାଲିରେ ଦ୍ୱାରା ଆକ୍ରମଣ କରିଥିଲେ । ଯାହା ଫଳରେ ତିନି ମହିଳାଙ୍କ ସହିତ ପାଞ୍ଚ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଏହି ଆକ୍ରମଣରେ ଦୁଇ ଶିଶୁଙ୍କ ସମେତ ଅବିନାଶ ଓ ତାଙ୍କ ଦ୍ୱିତୀୟ ପତ୍ନୀ ଆହତ ହୋଇଛନ୍ତି । ଆଖି ପିଛୁଳାକେ ରକ୍ତର ହୋଲି ଖେଳିବା ପରେ ଆକ୍ରମଣକାରୀମାନେ ଅବିନାଶଙ୍କ ଦ୍ୱିତୀୟ ପତ୍ନୀ ଓ ଦୁଇ ଶିଶୁଙ୍କୁ ନେଇ ଫେରାର ହୋଇ ଯାଇଛନ୍ତି ।
ଖବର ପାଇ ସଦର ଥାନା ପୋଲିସ ପହଞ୍ଚି ସେମାନଙ୍କୁ ଧରିବା ପାଇଁ ତନାଘନା ଚଳାଇ ଥିବା ବେଳେ ସଦର ଏସଡିପିଓ, ଏସପି ଏବଂ ଡିଆଇଜି ପଶ୍ଚିମାଞ୍ଚଳ ଡାକ୍ତରଖାନାରେ ପହଞ୍ଚି ତଦନ୍ତ କରିଛନ୍ତି । ଆକ୍ରମଣକାରୀମାନେ ଯାଯାବର ଗୋଷ୍ଠୀର ବୋଲି ଅବିନାଶ ବୋଲି ପୋଲିସ୍ ସମ୍ମୁଖରେ କହିଛନ୍ତି । ବର୍ତ୍ତମାନ ଦୁଇଟି ପୋଲିସ ଟିମ୍ ଆକ୍ରମଣକାରୀଙ୍କୁ ଧରିବା ପାଇଁ ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜାରି ରଖିଛି ।