ଜିଏସଟି ଚଢ଼ାଉରୁ ବ୍ୟବସାୟୀଙ୍କ ମୃତ୍ୟୁ ଅଭିଯୋଗ, ୧୨ ଘଣ୍ଟିଆ ଜୟପୁର ବନ୍ଦ


ଜୟପୁର: ହୃଦଘାତରେ ସୁନା ବ୍ୟବସାୟୀଙ୍କ ମୃତ୍ୟୁ ପରେ ଆଜି ଜୟପୁରରେ ୧୨ ଘଣ୍ଟିଆ ଦୋକାନ ବଜାର ବନ୍ଦ ଡାକରା ଦିଆଯାଇଛି । ଜୟପୁର ଚାମ୍ବର୍ ଅଫ୍ କମର୍ସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ସିଟି ଓ ଜିଏସଟି ଟିମର ଚଢ଼ାଉ ପରେ ହୃଦଘାତରେ ଜୟପୁରର ସୁନା ବ୍ୟବସାୟୀ ହରପ୍ରସାଦ ରାଓଙ୍କ ମୃତ୍ୟୁ ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଉଛି ।

ବନ୍ଦ ଡାକରାରୁ ସ୍କୁଲ, କଲେଜ ସହିତ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଓ ଔଷଧ ଦୋକାନଗୁଡ଼ିକୁ ବାଦ୍ ଦିଆଯାଇଛି । ସେହିପରି ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ହେବ ନାହିଁ । କେବଳ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ବନ୍ଦ କରିବାକୁ ଜୟପୁର ଚାମ୍ବର୍ ଅଫ୍ କମର୍ସର ଅଧ୍ୟକ୍ଷ କହିଛନ୍ତି ।

ଗତ ମଙ୍ଗଳବାର ଧନତେରାସରେ ହରପ୍ରସାଦଙ୍କ ଜୁଏଲାରୀରେ ରେଡ୍ କରିଥିଲା ସିଟି-ଜିଏସଟି ବିଭାଗ । ସେହି ଦିନଠାରୁ ସେ ଚିନ୍ତିତ ଓ ଚାପଗ୍ରସ୍ତ ଥିଲେ । ତାଙ୍କ ଭାଇ ଅଭିଯୋଗ କରିଛନ୍ତି, ପୂଜା ପାର୍ବଣ ଦିନ ଜୁଏଲାରୀ ଦୋକାନରେ ରେଡ୍ ତାଙ୍କୁ ଆଘାତ ଦେଇଥିଲା । ବାରମ୍ବାର ଭାଇଙ୍କ ଦୋକାନରେ ସର୍ଚ୍ଚ କରାଯିବାରୁ ସେ ଚିନ୍ତିତ ରହୁଥିଲେ । ଗତ ଗୁରୁବାର ରାତିରେ ଦୀପାବଳି ପାଳି ଶୋଇବାକୁ ଯାଇଥିଲେ ପି. ହରପ୍ରସାଦ । ମାତ୍ର ଗତକାଲି ସକାଳ ୮ଟା ଯାଏଁ ସେ ଉଠି ନଥିଲେ । ତାଙ୍କ ମା’ ଓ ସ୍ତ୍ରୀ ବାରମ୍ବାର ଡାକ ପକାଇବା ସତ୍ତ୍ୱେ ସେ ଉଠି ନଥିଲେ । ତୁରନ୍ତ ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହୃଦଘାତରେ ତାଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଥିଲେ । ଲୋକ ଲଜ୍ଜା ଓ ଅଧିକ ଚିନ୍ତାଗ୍ରସ୍ତ କାରଣରୁ ତାଙ୍କର ମୃତ୍ୟୁ ହେଲା ବୋଲି ଅଭିଯୋଗ କରିଛନ୍ତି ହରପ୍ରସାଦଙ୍କ ଭାଇ ।