ନୂଆପଡା: ଲୁଟେରାଙ୍କ କାରନାମ । ଗାଡି ଭଡ଼ାରେ ନେଇ କରୁଥିଲେ ଲୁଟ୍ ଉଦ୍ୟମ । ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ତିନି ଅଭିଯୁକ୍ତ ନୂଆଁପଡ଼ା ଜିଲ୍ଲାରୁ ଭଡ଼ା ସୂତ୍ରରେ ଏକ ବୋଲେରୋ ଯୋଗେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଗାଁକୁ ଆସିଥିଲେ । ଗାଁର ଏକ ନିଛାଟିଆ ଜାଗାରେ ବୋଲେରୋ ମାଲିକଙ୍କୁ ଧମକ ଦେଇ ଗାଡ଼ି ଲୁଟିବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ଏଥିରେ ବିଫଳ ହୋଇ ଧରା ପଡ଼ିଥିଲେ ୩ ଜଣ ଲୁଟେରା ।
ଦୁର୍ବୃତ୍ତମାନଙ୍କୁ ମୁରିବାହାଲ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ତଦନ୍ତ ବେଳେ ପୋଲିସ ହାତରେ ଲାଗିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ । ଦୁର୍ବୃତ୍ତଙ୍କ ବ୍ୟାଗରୁ ବାହାରିଥିଲା ପୋଲିସକୁ ଚକ୍କମା ଦେଲା ଭଳି ସାମଗ୍ରୀ । ଲୁଟେରାଙ୍କ ବ୍ୟାଗରୁ ଭୁବନେଶ୍ୱର ସ୍ପେଶାଲ୍ ବ୍ରାଞ୍ଚ ଆଇଜି ରାଙ୍କର ପୋଲିସ ପୋଷାକ, ୭ଟି ମୋବାଇଲ, ବ୍ୟାଙ୍କ୍ ଚେକ୍, ପାସବୁକ୍, ଏଟିମ୍ କାର୍ଡ ଓ ଧାରୁଆ ଖିଅର ହେବା ଖୁରା ସହ ଅନ୍ୟନ୍ୟ ଜିନିଷ । ଶେଷରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ମୁରିବାହାଲ ପୋଲିସ ।
ଗିରଫ ଅଭିଯୁକ୍ତମାନେ ହେଲେ ମୁରିବାହାଲ ଥାନା ବଡଉଡ଼ାର ଗାଁର ଅମର ଦାସ, ବରଗଡ଼ ଜିଲ୍ଲା ସନରାପାଲି ଗାଁର ଓକିଲ କୁମ୍ଭାର ଏବଂ ଉତ୍ତର ପ୍ରଦେଶ ମୌଉ ଜିଲ୍ଲା ରାଣୀପୁର ଥାନାର ଶିବୁ କାଉଁନଜିଆ । ଏନେଇ ଆଜି ମୁରିବାହାଲ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କଣ୍ଟାବାଞ୍ଜି ଏସଡିପିଓ ଗୌରାଙ୍ଗ ଚରଣ ସାହୁ । ସାମ୍ବାଦିକ ସମ୍ମିଳନୀ ପରେ ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି ମୁରିବାହାଲ ପୋଲିସ ।