ବରଗଡ଼: ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ କଂସ ଚୟନ ପ୍ରକ୍ରିୟା ଶେଷ ହୋଇଛି । କଂସ ଭୂମିକାରେ ଅଭିନୟ କରିବେ ଭୁବନେଶ୍ୱର ପ୍ରଧାନ । ପୂର୍ବରୁ ମଧ୍ୟ ସେ ଧନୁଯାତ୍ରାରେ ଏହି ଭୂମିକାରେ ଅଭିନୟ କରିସାରିଛନ୍ତି । ଗତକାଲି ହୋଇଥିବା ଚୟନ ପ୍ରକ୍ରିୟାରେ କମିଟି ସଦସ୍ୟମାନେ ତାଙ୍କ ନାଁରେ ମୋହର ମାରିଛନ୍ତି । ଉତ୍ତମ ଅଭିନୟ ଓ ଉଚ୍ଚକୋଟୀର ସଂଳାପ ପାଇଁ ଅନ୍ୟ ତିନି ଜଣଙ୍କୁ ପଛରେ ପକାଇ ଭୁବନେଶ୍ୱର ପ୍ରଧାନ ବାଜି ମାରିଛନ୍ତି ।
ଭୁବନେଶ୍ୱର ପ୍ରଧାନ ପୂର୍ବରୁ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ୫ ଥର କଂସ ଭୂମିକାରେ ଅଭିନୟ କରି ସାରିଛନ୍ତି । ଶେଷଥର ପାଇଁ ସେ ୨୦୨୦ରେ କଂସ ମହାରାଜା ଭୂମିକାରେ ଅଭିନୟ କରିଥିଲେ ।
ଷଷ୍ଠ ଥର ଏହି ଭୂମିକାରେ ଅଭିନୟ କରିବା ପାଇଁ ସୁଯୋଗ ପାଇବା ପରେ ସେ କହିଛନ୍ତି, ଏଥର ସୁଯୋଗ ମିଳିଥିବାରୁ ମୁଁ ଆନନ୍ଦିତ ଓ ଗର୍ବିତ । ଧନୁଯାତ୍ରା ପାଇଁ ଆଉ ମାସେ ସମୟ ଅଛି । ନୂତନ ସଂଳାପ, ନୂତନ ଅଭିନୟ ଓ ନୂତନ ପୌରାଣିକ କଥାବସ୍ତୁକୁ ନେଇ ଏଥର କମ୍ପିବ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ।
ଆସନ୍ତା ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଏହା ହେବ ୭୭ତମ ବରଗଡ଼ ଧନୁଯାତ୍ରା ମହୋତ୍ସବ । ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଗତ ଦୁଇ ବର୍ଷ ଧରି ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିଲେ ହୃଷିକେଶ ଭୋଇ । ସେ ଏ ବର୍ଷ ମଧ୍ୟ ଏହି ଭୂମିକାରେ ଅଭିନୟ କରିଥା’ନ୍ତେ । କିନ୍ତୁ ସରକାରୀ ଚାକିରି କରୁଥିବା ହୃଷିକେଶ ଲାଞ୍ଚ ନେଇ ନିଲମ୍ବିତ ହେବା ପରେ ତାଙ୍କୁ ଏଥର କଂସ ଭୂମିକାରେ ଅଭିନୟ କରିବାକୁ ଅନୁମତି ଦେବା ଉଚିତ୍ ହେବ ନାହିଁ ବୋଲି କହିଥିଲା ବରଗଡ଼ ଧନୁଯାତ୍ରା କଳାକାର ସମନ୍ୱୟ କମିଟି । କମିଟି ସୁପାରିଶ କରିଥିଲା ଯେ, ଯେହେତୁ ତାଙ୍କ ବିରୋଧରେ ଅଭିଯୋଗ ଆସିଛି ଓ ସେ ଦୋଷ ମୁକ୍ତ ହୋଇନାହାନ୍ତି, ତେଣୁ ଏଥର ସେ ଧନୁଯାତ୍ରାରେ ଅଭିନୟ କଲେ ଏହାର ମର୍ଯ୍ୟାଦା ଓ ଗାରିମା କମିଯାଇପାରେ । ସେ ଦୋଷମୁକ୍ତ ନହେବା ପର୍ଯ୍ୟନ୍ତ ତାଙ୍କୁ ଅବ୍ୟାହତି ଦେବାକୁ ସେମାନେ ପ୍ରସ୍ତାବ ଦେଇଥିଲେ । ଆଉ ସେମାନଙ୍କ ସୁପାରିଶକୁ କାର୍ଯ୍ୟକାରୀ କମିଟି ଗ୍ରହଣ କରିଥିଲା ।
ଏଥର କେବଳ ଗୋଟିଏ ବର୍ଷ ପାଇଁ କଂସ ଭୂମିକାରେ ଅଭିନୟ କରିବା ପାଇଁ କଳାକାର ବଛା ଯାଇଥିବାରୁ ପୂର୍ବଭଳି ଚୟନ କରାଯାଇ ନଥିଲା । ୨୦୨୨ କଂସ ଚୟନ ପ୍ରକ୍ରିୟାରେ ଭାଗ ନେଇ ୨ରୁ ୫ ନମ୍ବର ସ୍ଥାନରେ ରହିଥିବା ୪ କଳାକାରଙ୍କୁ ଅଡିସନ ପାଇଁ ଡକା ଯାଇଥିଲା । ସେମାନଙ୍କ ମଧ୍ୟରେ ଥିଲେ ଭୁବନେଶ୍ୱର ପ୍ରଧାନଙ୍କ ସହିତ ଆର୍ତ୍ତତ୍ରାଣ ସୁନାନୀ, ଜଗଦାନନ୍ଦ ମିଶ୍ର ଏବଂ ସୁଶୀଲ କୁମାର ମେହେର । ହେଲେ ସମସ୍ତଙ୍କୁ ପଛରେ ପକାଇ କଂସ ଭୂମିକାରେ ଅଭିନୟ ପାଇଁ ମନୋନୀତ ହୋଇଛନ୍ତି ବରଗଡ଼ ବ୍ଲକ ସର୍ଲା ଗାଁର ଭୁବନେଶ୍ୱର ପ୍ରଧାନ ।