ବୈତରଣୀ ନଦୀରୁ ଉଦ୍ଧାର ପଥର ଭାସୁଛି: ତ୍ରେତୟା ଯୁଗର ନାଁ ଯଯାତି କେଶରୀଙ୍କ ସମୟର ?


ଭଦ୍ରକ: ଧାମନଗର ଦେହୁଡି ଆନନ୍ଦପୁର ପଞ୍ଚାୟତ ମାଲନାପୁର ଦେଇ ପ୍ରଭାହିତ ବୈତରଣୀ ନଦୀ ଗର୍ଭରୁ ମିଳିଲା ଅଲୌକିକ ପଥର । ଯାହା ପାଣିରେ ଭାସୁଛି । ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମ ଲଙ୍କାକୁ ଯିବାକୁ ଭାସମାନ ପଥରରେ ପୋଲ ନିର୍ମାଣ କରିଥିଲେ । ସେହିପରି ଯଯତାୀ କେଶରୀ ମଧ୍ୟ ବୈତରଣୀ ନଦୀ ପାର ହେବାକୁ ଭାସମାନ ପଥର ବ୍ୟବହାର କରିଥିବାର ବିଶ୍ବାସ ରହିଛି । ଏହା ଏହି ଦୁଇଟି ସମୟର ପଥର ନା ଅନ୍ୟ ସମୟର ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଅନ୍ୟପଟେ ବୈତରଣୀରୁ ଭାସମାନ ପଥର ମିଳିଥିବା ପ୍ରଚାର ହେବା ପରେ ତାକୁ ଦେଖିବାକୁ ଲୋକଙ୍କ ଭିଡ଼ ବଢ଼ିବାରେ ଲାଗିଛି ।

ମିଳିଥିବା ସୂଚନା ଅନୁସାରେ ବୈତରଣୀରେ କିଛି ଯୁବକ ଗାଧୋଉଥିବା ସମୟରେ ବାଲିରେ ପୋତି ହୋଇଥିବା ଗୋଟିଏ ପଥର ସେମାନଙ୍କ ହାତରେ ଲାଗିଥିଲା । ଯୁବକମାନେ ଉକ୍ତ ପଥରଟିକୁ ବାହାର କରି ପୁଣି ପାଣିରେ ଫିଙ୍ଗି ଦେଇଥିଲେ । ହେଲେ ଆଶ୍ଚର୍ଯ୍ୟର କଥା ପଥରଟି ପାଣିରେ ବୁଡ଼ିବା ପରିବର୍ତ୍ତେ, ଭାସିବାକୁ ଲଶଗିଥିଲା । ଏହା ଦେଖି ଯୁବକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ସେମାନେ ପଥରଟିକୁ ନଦୀରୁ ଉଠାଇ ଗାଁକୁ ନେଇଯାଇଥିଲେ ।

ଅନେକ ଲୋକେ ଏହାକୁ ତ୍ରେତୟା ଯୁଗର ରାମ ସେତୁ ପଥର ବୋଲି କହୁଥିବା ବେଳେ ଆଉ କିଛି ଚତୁର୍ଦଶ ଶତାବ୍ଦୀରେ ଯଯାତି କେଶରୀ ମହାରାଜ ସିଦ୍ଧେଶ୍ୱର ମନ୍ଦିର ନିର୍ମାଣ କରିବା ସମୟରେ ବୈତରଣୀ ନଦୀ ଉପରେ ଯିବା ଆସିବା କରିବା ପାଇଁ ଏମିତି ପଥର ଲଗାଇଥିଲେ । ଯାହା ପରବର୍ତ୍ତି ସମୟରେ ପୋତି ହୋଇ ରହିଥିଲା । ଏବେ ନଦୀରେ ବାଲି ଉଠୁଥିବାରୁ ନଦୀ ଗଭୀର ହେବା ପରେ ସେହି ପଥର ଉପରକୁ ବହାରି ପଡ଼ିଛି । ଘଟଣା ପ୍ରଘଟ ହେବା ପରେ ଏହାକୁ ଦେଖିବା ପାଇଁ ବିଭିନ୍ନ ଅଞ୍ଚଳରୁ ଲୋକମାନେ ପହଞ୍ଚୁଛନ୍ତି । ପଥରଟିର ଓଜନ ୩ କିଲୋ ୮୦୦ ଗ୍ରାମ ଥିବା ବେଳେ ଯେତେଥର ପାଣିରେ ପକାଇଲେ ସେ ଭାସି ଉଠୁଛି । ପୁର୍ବରୁ ବୈତରଣୀ ନଦୀ ଗର୍ଭରୁ ଶିବ ଲିଙ୍ଗ ଓ ଅନେକ ବୌଦ୍ଧ ମୂର୍ତ୍ତି ଉଦ୍ଧାର କରାଯାଇଛି । ତେବେ ଏ ପଥର କେଉଁଠୁ ଓ କେମିତି ଆସିଲା ତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।