ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଚରମ ଚେତାବନୀ । କହିଲେ- ମଣ୍ଡିରୁ ଧାନ ନ ଉଠିଲେ ସ୍ଥିତି ଅସମ୍ଭାଳ ହେବ । ଆସନ୍ତା ୨୫ ତାରିଖ ସୁଦ୍ଧା ସମସ୍ତ ମଣ୍ଡିରୁ ଧାନ ନ ଉଠିଲେ କୋରାପୁଟ ଜିଲ୍ଲା ବନ୍ଦ କରି ଦିଆଯିବ । ଏପରିକି ଆସନ୍ତା ୨୬ରୁ ରାସ୍ତାରୋକ କରିବାକୁ ବି ପଛାଇବୁ ନାହିଁ । ଗତକାଲି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଏପରି ଧମକ ଦେଇଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ।
ସାମ୍ବାଦିକ ସମ୍ମିଳନୀରେ ତାରା କହିଛନ୍ତି, କୋରାପୁଟ ଜିଲ୍ଲାରେ ୧୧ ତାରିଖରୁ ଖରିଫ ମଣ୍ଡି ଆରମ୍ଭ ହୋଇଥିଲେ ବି, ଆଜି ସୁଦ୍ଧା ଧାନ କ୍ରୟ କରାଯାଇପାରୁନି । ଚାଷୀ ଶୀତ କାକରରେ ଧାନକୁ ଜଗି ବସିଥିବା ବେଳେ, ଟୋକନର ଅବଧି ୧ ମାସ ରହିଛି ।
ଗତ ୩ ଦିନର କୋହଲା ପାଗ ଓ ଅଦିନିଆ ବର୍ଷାରେ ଧାନକୁ ଢାଙ୍କି FAQକୁ ମାନରେ ରଖିବା ପାଇଁ ଚାଷୀକୁ ପଲିଥିନ କିଣି ନୟାନ୍ତ ହେବାକୁ ପଡ଼ୁଛି । ଏଥିସହ ସରକାର କେବେ ଧାନ କ୍ରୟ କରିବେ ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛନ୍ତି ତାରା ।
ଏହି ସାମ୍ବାଦିକ ସମ୍ମିଳନିରେ ଜିଲ୍ଲା କିଷାନ କଂଗ୍ରେସ ସଭାପତି ଭବାନୀଶଙ୍କର ରଥଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ବିଜେପି କହିଛି, କଂଗ୍ରେସ ଚାଷୀଙ୍କୁ ଉସୁକେଇବାକୁ ଚେଷ୍ଟା କରୁଛି । ମଣ୍ଡିରୁ ନିଶ୍ଚିତ ଧାନ ଉଠିବ, ଏଥିରେ ସନ୍ଦେହ ନାହିଁ ।