Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଚ୍ଚ ନ୍ୟାୟାଳୟରେ ମାମଲା ଚାଲୁ ରହିଥିବା ସତ୍ତ୍ବେ ଗେଲ୍ ଇଣ୍ଡିଆର ଦାଦାଗିରି, ଚାଷୀଙ୍କ ଜମିରେ ଜବରଦସ୍ତି ଗ୍ୟାସ୍ ପାଇପ ଲାଇନ୍ ବିଛାଈଲେ

ପାରଳାଖେମୁଣ୍ଡି:୩୧/୧୨(ଗରୁଡ଼ ଧ୍ୱଜ ଚୌଧୁରୀ)ଉଚ୍ଚ ନ୍ୟାୟାଳୟରେ ମାମଲା ଚାଲୁ ରହିଥିବା ସତ୍ୱେ ଗେଇଲ୍ ଇଣ୍ଡିଆର ଜୋରଜବରଦସ୍ତି ଓ ଦାଦାଗିରିକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି. ଚାଷୀଙ୍କ ବିରୋଧ ସତ୍ୱେ ଗେଇଲ୍ ଇଣ୍ଡିଆ କମ୍ପାନୀ କୌଣସି ଭାବେ ଖାତିର ନ କରି ଚାଷୀଙ୍କ ଜମିରେ ଜବରଦସ୍ତି ମେସିନ ଲଗାଇ ଖୋଳିବା ସହ ଗ୍ୟାସ ପାଇପ ଲାଇନ ବିଛାଇ ଥିବା ଅଭିଯୋଗ ହୋଇଛି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗାରବନ୍ଧ ଠାରେ ଚାଷୀଙ୍କ ବିରୋଧ ସତ୍ତ୍ବେ ଗେଇଲ୍ ଇଣ୍ଡିଆ ଗ୍ୟାସ୍ ପାଇପ ଲାଇନ ବିଛାଇବା କାର୍ଯ୍ୟ ଜାରୀ ରଖିଛି । ପ୍ରକାଶ ଯେ, ଚାଷୀ ମନୋଜ କୁମାର ସାହୁଙ୍କ ଚାଷ ଜମି ଦେଇ ଗେଇଲ୍ ଇଣ୍ଡିଆ ଗ୍ୟାସ୍ ପାଇପ ଲାଇନ୍ ବିଛାଇବା ପାଇଁ ଯୋଜନା କରିଥିଲା । ଜମି ଖନନ କରି ଗ୍ୟାସ୍ ପାଇପ୍ ଲାଇନ୍ ବିଛାଇବା ବାବଦରେ ଜମିର ଉପଯୋଗ ମୂଲ୍ୟ ବାବଦରେ ଦେଉଥିବା ଟଙ୍କା ଯଥେଷ୍ଠ ନଥିବା ଯୋଗୁଁ ଚାଷୀ ମନୋଜ କୁମାର ସାହୁ ଏବଂ ତାଙ୍କ ପରିବାରବର୍ଗ ସମ୍ନତି ପ୍ରକାଶ କରିନଥିଲେ । ଏନେଇ ଚାଷୀ ଜଣକ ମାନ୍ୟବର ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ତ ହୋଇ ମାମଲା ଚାଲୁ ରହିଛି । ନ୍ୟାୟାଳୟଙ୍କ ରାୟ ପରେ ହିଁ ଯାହା କିଛି ହେଉ ବୋଲି ଚାଷୀ ମନୋଜ ଅଡିବସିଥିଲେ । ହେଲେ ଗେଇଲ୍ ଇଣ୍ଡିଆର ବରିଷ୍ଠ ଅଧିକାରୀ ଗଣ ଜିଲ୍ଲା ପ୍ରଶାସନ ଏବଂ ପୋଲିସଙ୍କ ଉପସ୍ଥିତିରେ କୌଣସି ପ୍ରକାର ଖାତିର ନ କରି ଜମିରେ ଜବରଦସ୍ତି ମେସିନ ଲଗାଇ ଖୋଳିବା ସହ ଗ୍ୟାସ ପାଇପ ବିଛାଇବା କାମ ଆରମ୍ଭ କରିଛନ୍ତି । ଏନେଇ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ଚାଷୀ ମନୋଜ ପ୍ରବଳ ବିରୋଧ କରିଥିଲେ । ଏପରିକି ଗେଇଲ୍ ଇଣ୍ଡିଆ ତରଫରୁ ପାଇପ୍ ବିଛାଇବା ପାଇଁ ଆସିଥିବା ମେସିନ୍ ଗାଡିକୁ ଜମି ଭିତରେ ପୁରାଇଦେଇନଥିଲେ । ଯାହାକୁ ନେଇ କିଛି ସମୟ ପାଇଁ ଯୁକ୍ତିତର୍କ ତଥା ଉତ୍ତେଜନା ପ୍ରକାଶ ପାଇଥିଲେ । ପରେ ମାଜିଷ୍ଟ୍ରେଟ୍ ଦାୟିତ୍ବରେ ଥିବା ଗୋଷାଣି ବିଡିଓ ଗୌର ଚନ୍ଦ୍ର ପଟ୍ଟନାୟକ ଏବଂ ପାରଳାଖେମୁଣ୍ଡି ଏସଡିପିଓ ମାଧବାନନ୍ଦ ନାୟକ ପ୍ରମୁଖ ବୁଝାସୁଝା କରିଥିଲେ । କିଛି ସମୟ ପାଇଁ ଯୁକ୍ତିତର୍କ ପରେ ପୋଲିସ୍ ଚାଷୀ ମନୋଜଙ୍କୁ ହଟାଇଥିଲେ । ଏହାପରେ ମେସିନ୍ ଗୁଡିକ ଜମିଖନନ ପାଇଁ ଜମିମଧ୍ୟକୁ ପଶିଥିଲା । ଏନେଇ ମନୋଜ କହିଛନ୍ତି ଯେ, ଗୋଇଲ୍ ଇଣ୍ଡିଆ ଦାଦାଗିରି ଦେଖାଇ ଜୋରଜବରଦସ୍ତି ଭାବେ କାମ ଆରମ୍ଭ କରିଛନ୍ତି । ଆମ୍ଭର ମାମଲା ମାନ୍ୟବର ଉଚ୍ଚତମ ନ୍ୟାୟାଳୟରେ ବିଚାରଣା ପାଇଁ ରହିଥିଲେ ମଧ୍ୟ ଗେଇଲ୍ ଇଣ୍ଡିଆ ଖାତିର ନ କରି କାମକରୁଛି । କୌଣସି କ୍ଷତିଭରଣା ବା ଜମି ଉପଯୋଗ ପାଇଁ ଦେଉଥିବା ଅର୍ଥ ପର୍ଯ୍ୟାପ୍ତ ନୁହେଁ । ଏହି ଜମି ଗୁଡିକ ମାର୍କେଟ ଦର ବେଶ ଅଧିକା ରହିଛି । ସେହି ଅନୁସାରେ କ୍ଷତିଭରଣା ଦେଲେ ଯାଇ ସମସ୍ତ ସମସ୍ୟା ସମାଧାନ ହୋଇପାରନ୍ତା ବୋଲି କହିଛନ୍ତି । ବର୍ତ୍ତମାନ ଗେଇଲ୍ ଇଣ୍ଡିଆ ଜୋରଜବରଦସ୍ତ ଭାବେ କାମ କରୁଥିବା ଯୋଗୁଁ ଏନେଇ ମଧ୍ୟ ଆଇନର ଆଶ୍ରୟ ନେବି ବୋଲି ଜଣାଇଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ନିମନ୍ତେ ଏସଡିପିଓ ଶ୍ରୀ ନାୟକଙ୍କ ନେତୃତ୍ବରେ ଗାରାବନ୍ଧ ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିସିକାଙ୍କ ପ୍ରତ୍ୟକ୍ଷତତ୍ବାବଧାନରେ ବହୁ ସଂଖ୍ୟକ ପୋଲିସ ମୁତୟନ ହୋଇଥିବାର ଦେଖିବାକୁ ମିଳିଥିଲା ।