ଜଙ୍ଗଲ ରାସ୍ତାରେ ଫେରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ କଚାଡି ମାରିଦେଲା ଦନ୍ତାହାତୀ


ସୁନ୍ଦରଗଡ଼: ପାଖ ଗାଁକୁ କାମରେ ଯାଇ ଫେରିବା ବେଳକୁ ରାତି ହୋଇଯାଇଥିଲା । ଜଙ୍ଗଲ ରାସ୍ତାରେ ଫେରୁଥିବା ବେଳେ ଦନ୍ତାହାତୀ ହାବୁଡ଼ରେ ପଡ଼ିଗଲେ । ହାତୀଟି ଜଙ୍ଗଲ ଭିତରେ ଗୋଡାଇ ଗୋଡାଇ ବୃଦ୍ଧଙ୍କୁ ଶୁଣ୍ଢରେ ଉଠାଇ ନେି କଚାଡି ମାରିଦେଲା । ଏମିତି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ବରସୁଆଁ ରେଞ୍ଜରେ । ଘଟଣାକୁ ନେଇ ଉତ୍ତେଜନ ପ୍ରକାଶ ପାଇଛି । କ୍ଷତିପୂରଣ ଦାବିରେ ଗୟାମବାସୀ ରାତି ସାରା ଶବ ରଖି ଧାରଣାରେ ବସିଛନ୍ତି । ଏହାସହ ହାତୀକୁ ଟ୍ରାଙ୍କୁଲାଇଜ କରି ଅନ୍ୟତ୍ର ଛାଡିବାକୁ ଦାବି କରିଛନ୍ତି ।

ମିଳିଥିବା ତଥ୍ୟ ଅନୁସାରେ, ମୃତକ ହେଲେ ବନ୍ଦଲ ଗାଁର ୫୫ ବର୍ଷୀୟ ବିଠଲ ନାୟକ । ବିଠଲ ଗତକାଲି ଜଣେ ସାଙ୍ଗ ସହ ରେଙ୍ଗମା ଗାଁକୁ ଯାଇଥିଲେ । ସେଠାରୁ କାମ ସାରି ଉଭୟ ରାତିରେ ଜଙ୍ଗଲ ରାସ୍ତାରେ ଘରକୁ ଫେରୁଥିବା ବେଳେ ଏକ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ । ବିଠଲଙ୍କ ସାଙ୍ଗ ଦୌଡ଼ି ନିଜ ଜୀବନ ବଞ୍ଚାଇଥିବା ବେଳେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ଦନ୍ତାଟି ତାଙ୍କୁ ଜଙ୍ଗଲ ମଧ୍ୟରେ ଗୋଡ଼ାଇ ଗୋଡ଼ାଇ ଶୁଣ୍ଢରେ କଚାଡ଼ି ଦେଇଥିଲା । ଏହାପରେ ତାଙ୍କୁ ପାଦରେ ଦଳି ଦେବାରୁ ଘଟଣାସ୍ଥଳରେ ବିଠଲଙ୍କ ମୃତ୍ୟୁ ଘଟିଥିଲା ।

ଖବର ପାଇ ଗ୍ରାମବାସୀ ଓ ବନ ବିଭାଗ ଅଧିକାରୀ ଜଙ୍ଗଲରେ ପହଞ୍ଚିଥିଲେ । ହାତୀଟି ଗତ ୩ ବର୍ଷ ମଧ୍ୟରେ ପ୍ରାୟ ୩୦ରୁ ଅଧିକ ଜଣଙ୍କ ଜୀବନ ନେଇ ସାରିଥିବା ବେଳେ ୫୦ରୁ ଅଧିକ ଲୋକଙ୍କୁ ଆକ୍ରମଣ କରି ଗୁରୁତର କରିଛି । ତେଣୁ ତୁରନ୍ତ ବିଠଲଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ସହ ଉକ୍ତ ହାତୀକୁ ଟ୍ରାଙ୍କୁଲାଇଜ କରି ଅନ୍ୟତ୍ର ନେବାକୁ ଦାବି କରିଛନ୍ତି ଗ୍ରାମବାସୀ । ଏହି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ମୃତଦେହ ଛାଡ଼ିବେନି ବୋଲି ନିଜ ଜିଦ୍‌ରେ ଗ୍ରାମବାସୀ ଅଡ଼ି ରହିଛନ୍ତି । ଅପରପକ୍ଷେ, ବନ ବିଭାଗ ଅଧିକାରୀ ଓ କର୍ମଚାରୀ ଜଙ୍ଗଲ ମଝିରେ ନିଆଁ ଜାଳି ବସି ରହିବା ସହ ରାତି ସାରା ମୃତଦେହକୁ ଜଗିଛନ୍ତି । ଆଜି ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ପରେ କ’ଣ ସମାଧାନ ହେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।