ବରଗଡ଼: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବରଗଡ଼ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା । ମହାରାଜ କଂସଙ୍କ ରାଜୁତି ଆରମ୍ଭ ହେବାକୁ ଯାଉଛି । କଂସଙ୍କ ଅଟ୍ଟହାସ୍ୟରେ ପ୍ରକମ୍ପିତ ହେବ ବରଗଡ଼ ସହର । ଯାହାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ସହର । ବରଗଡ଼ ମଥୁରା ନଗରୀ ପାଲଟିଥିବା ବେଳେ ଅମ୍ବାପାଲି ପାଲଟିଛି ଗୋପପୁର । ସେହିପରି ଜୀରାନଦୀ ପାଲଟିଛି ଯମୁନା ନଦୀ ।
ବିଶ୍ଵ ଦରବାରର ଏହି ମହାମଞ୍ଚ ପାଇଁ କଳାକାରମାନେ ନିଜ ନିଜର ଅଭ୍ୟାସ ଶେଷ କରିଦେଇଛନ୍ତି । କଂସ ମହାରାଜ ଭୂମିକାରେ ଅଭିନୟ କରୁଥିବା କଳାକାର ଭୁବନେଶ୍ବର ପ୍ରଧାନ ମଧ୍ୟ ନିଜର ସଂଳାପ ସହିତ ପ୍ରସ୍ତୁତ ରହିଛନ୍ତି ।
ଆଜିଠୁ ମଥୁରାନଗରୀରେ ଚାଲିବ ମହାରାଜ କଂସଙ୍କ ରାଜୁତି । କଂସଙ୍କ ନିର୍ଦ୍ଦେଶରେ ଶାସିତ ହେବ ମଥୁରା । କୃଷ୍ଣ, ବଳରାମ ଓ ଗୋପୀ ଗୋପାଳଙ୍କ ବାଲ୍ୟଲୀଳାରେ ଉତ୍ସବମୁଖର ହୋଇ ଉଠିବ ଗୋପପୁର । ଗୋପପୁରର କୃଷ୍ଣ ବଳରାମ ଓ ରାଧାଙ୍କ ସହ ହାତୀ, ଘୋଡା ପ୍ରସ୍ତୁତ ରହିଛନ୍ତି । ଚଳିତବର୍ଷ ଧନୁଯାତ୍ରାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ରଙ୍ଗମହଲକୁ ରାଜସ୍ଥାନ ଜୟପୁରର ଆଲବର୍ଟ ହଲ ମ୍ୟୁଜିୟମ ମଡେଲରେ ପ୍ରସ୍ତୁତ କରଯାଇଛି । ବରଗଡ଼ ଧନୁଯାତ୍ରା ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲୋକଙ୍କ ଭିଡ଼ ଜମିବ । ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।