ମୁମ୍ବାଇ: ତାଜ ହୋଟେଲ ଆଗରେ ଥୁଆ ହୋଇଥିଲା ସମାନ ନମ୍ବର ଥିବା ଦୁଇଟଇ ଟ୍ୟୁରିଷ୍ଟ କାର୍ । ଏହାଦେଖି ପୋଲିସ ଗାଡିକୁ ଜବତ କରିବା ପରେ ପଦାକୁ ଆସିଲା ସାଂଘାତିକ ସତ । EMI ଫାଙ୍କିବାକୁ କାର ମାଲିକ ନମ୍ବର ପ୍ଲେଟରେ ଟାମ୍ପରିଂ କରିଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ସୋମବାର ମୁମ୍ବାଇର କୋଲାବାସ୍ଥିତ ତାଜ ହୋଟେଲ ନିକଟରୁ ସମାନ ନମ୍ବର ଥିବା ଦୁଇଟି ଟ୍ୟୁରିଷ୍ଟ କାର ଜବତ ହୋଇଛି । ପୋଲିସ ସୂଚନାନୁସାରେ, କାରର EMI ପୈଠ କରି ନଥିଲେ କାର୍ ମାଲିକ । ତେଣୁ ଫାଇନ୍ସ କମ୍ପାନୀ ତାଙ୍କ କାରକୁ ଯେପରି ଉଠାଇ ନ ନିଏ ସେଥିପାଇଁ ସେ ଜାଣିଶୁଣି ନମ୍ବର ପ୍ଲେଟରେ ଟାମ୍ପରିଂ କରିଥିଲେ । ଏହାର ଖୁଲାସା ହେବା ପରେ ମୁମ୍ବାଇ ପୋଲିସ ଗାଡି ମାଲିକଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି ।
କୋଲାବା ପୋଲିସର କହିବା ମୁତାବକ, ନରିମନ ପଏଣ୍ଟ ବାସିନ୍ଦା ସାକିର ଅଲି ତାଙ୍କ ଏରଟିଗା କାର ସହିତ ପଞ୍ଜିକରଣ ନମ୍ବର MH01-EE-2388 ସହିତ ଗେଟୱେ ଅଫ୍ ଇଣ୍ଡିଆ ସମ୍ମୁଖରେ ଯାଉଥିବାବେଳେ ସେଠାରେ ସମାନ ପଞ୍ଜୀକରଣ ନମ୍ବର ଥିବା ଅନ୍ୟ ଏକ ଏରଟିଗା କାର ଦେଖିଥିଲେ । ସେ ନିଜ କାରକୁ ଅଟକାଇ ପୋଲିସକୁ ଏ ବିଷୟରେ ଜଣାଇଥିଲେ । ଉଭୟ ଗାଡି ଓ ସେମାନଙ୍କ ଡ୍ରାଇଭରଙ୍କୁ ତଦନ୍ତ ପାଇଁ କୋଲାବା ପୋଲିସ ଷ୍ଟେସନକୁ ଅଣା ଯାଇଥିଲା ।
ପଚରାଉଚରା ପରେ ଗୋଟିଏ କାରର ନମ୍ବର ନକଲି ଥିବା ଜଣାପଡିଥିଲା । ଅସଲି ପଞ୍ଜିକରଣ ନମ୍ବର ଥିବା କାର ଡ୍ରାଇଭର ପୋଲିସ ନିକଟରେ ଅଭିଯୋଗ କରିଥିଲେ । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ନବି ମୁମ୍ବାଇ ବାସିନ୍ଦା ପ୍ରସାଦ କଦମ ତାଙ୍କ ଗାଡିର ନମ୍ବର ପ୍ଲେଟରେ ଟ୍ୟାମ୍ପରିଂ କରିଥିଲେ । ସେ ଇଏମଆଇ ପୈଠ କରି ନଥିବା ଯୋଗୁଁ ଫାଇନ୍ସ କମ୍ପାନୀର କର୍ମଚାରୀଙ୍କ ଆଖିରେ ଧୂଳି ଦେବା ପାଇଁ ଏଭଳି ଫଣ୍ଡା ଆପଣାଇଥିଲେ । ଅଲିଙ୍କ କାରର ପଞ୍ଜିକରଣ ନମ୍ବର MH01EE2388 ହୋଇଥିବାବେଳେ ପ୍ରସାଦ କଦମ କାରର ଅସଲି ନମ୍ବର ହେଉଛି MH01EE2383 । ପ୍ରସାଦ କଦମ ପୋଲିସକୁ କହିଛନ୍ତି ଯେ ସେ ଜାଣିଶୁଣି ତାଙ୍କ ନମ୍ବର ପ୍ଲେଟର ଶେଷ ଅଙ୍କକୁ ‘୩’ ରୁ ‘୩’ରେ ପରିବର୍ତ୍ତନ କରିଥିଲେ । ଫାଇନ୍ସ କମ୍ପାନୀର ଏଜେଣ୍ଟଙ୍କଠାରୁ ବର୍ତ୍ତିବାକୁ ସେ ଏଭଳି କରିଥିବା ସ୍ୱୀକାର କରିଛନ୍ତି ।