ସୁନ୍ଦରଗଡ଼: ରାଜଗାଙ୍ଗପୁର ସ୍ଥିତ ଡାଲମିଆଁ ସିମେଣ୍ଟ କାରଖାନା ଦୁର୍ଘଟଣା । ୩ ଶ୍ରମିକ ନିଖୋଜ । ବୟଲର୍ ଅପରେଟର ସୁଶାନ୍ତ ରାଉତ, ବୈଷୟିକ କର୍ମଚାରୀ ଦଶରଥ ପାତ୍ର ଏବଂ ରଞ୍ଜିତ ଭୋଳଙ୍କ ପତ୍ତା ମିଳୁନାହିଁ । ଅନ୍ୟମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।
କୋଇଲା ହପରରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗୁରୁବାର ସନ୍ଧ୍ୟା ପ୍ରାୟ ୫ଟା ୩୦ରେ ଏହି ଦୁର୍ଘଟଣା ଘଟିଥିଲା । ବଙ୍କର୍ ତଳେ ଶ୍ରମିକମାନେ କାମ କରୁଥିବାବେଳେ ତାହା ଭାଙ୍ଗି ସେମାନଙ୍କ ଉପରେ ପଡ଼ିଥିଲା । ବଙ୍କର୍ କୋଇଲା ଗୁଣ୍ଡରେ ଭର୍ତ୍ତି ହୋଇଥିବାରୁ ସେଥିରେ ଶ୍ରମିକମାନେ ପୋତି ହୋଇଯାଇଥିଲେ । ବହୁ ସମୟ ପର୍ଯ୍ୟନ୍ତ ସେମାନେ କୋଇଲା ତଳେ ଚାପି ହୋଇ ରହିଥିଲେ ।
ଉଦ୍ଧାର କାର୍ଯ୍ୟରେ କମ୍ପାନୀର ୩ଟି କ୍ରେନ, ୩ଟି ନିଜସ୍ବ ଆମ୍ବୁଲାନ୍ସ, ୭ଟି ସରକାରୀ ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗର ୧୦ରୁ ଅଧିକ ଗାଡି ମଧ୍ୟ ନିୟୋଜିତ ହୋଇଛନ୍ତି । ରାଜଗାଙ୍ଗପୁର ବିଧାୟକ ରାଜନ ଏକ୍କା, ସୁନ୍ଦରଗଡ଼ ଏଡିଏମ ଅଭିମନ୍ୟୁ ମାଝୀ, ରାଜଗାଙ୍ଗପୁର ତହସିଲଦାର ଜଗବନ୍ଧୁ ମଲ୍ଲିକଙ୍କ ସହ ପୋଲିସ୍ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟର ତଦାରଖ କରିଥିଲେ । କାରଖାନା ଆଗରେ ଉତ୍ତେଜନା ଦେଖାଦେଇଛି । ଶ୍ରମିକଙ୍କ ସମ୍ପର୍କୀୟ ଓ ପରିବାର ଲୋକ କାରଖାନା ଆଗରେ ଜମା ହୋଇଛନ୍ତି । ସ୍ଥିତି ନିୟନ୍ତ୍ରଣ ପାଇଁ କାରଖାନା ସମ୍ମୁଖ ପୁଲିସ୍ ଛାଉଣିରେ ପରିଣତ ହୋଇଛି ।