ରାଜଗାଙ୍ଗପୁର: ଡାଲମିଆ ସିମେଣ୍ଟ କାରଖାନାରେ କୋଇଲା ହପର ଭୁଶୁଡ଼ିବା ଘଟଣା । ଉଦ୍ଧାର ହେଲା ନିଖୋଜ ତିନି ଶ୍ରମିକଙ୍କ ମୃତଦେହ । ତେବେ କମ୍ପାନୀ କର୍ତ୍ତୃପକ୍ଷଙ୍କ ଅବହେଳା ତିନି ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଘଟଣାରେ ରାଉରକେଲା ଫ୍ୟାକ୍ଟ୍ରି ଆଣ୍ଡ ବୋଏଲର ବିଭାଗ କମ୍ପାନୀ ଉପରେ ଆକ୍ସନ ନେଇଛି l କମ୍ପାନୀ କର୍ତ୍ତୃପକ୍ଷ ସୁରକ୍ଷା ସମ୍ବନ୍ଧିତ ସମସ୍ତ ବ୍ୟବସ୍ଥା ନ କରିବା ପର୍ଯ୍ୟନ୍ତ କେଭ୍ ଟିଭ୍ ପାୱାର ପ୍ଲାଣ୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l ଦୀର୍ଘ ୪୦ ଘଣ୍ଟା ଅପେକ୍ଷା ପରେ କୋଇଲା ପାହାଡ ତଳୁ ଉଦ୍ଧାର ହୋଇଛି ୩ ଶ୍ରମିକଙ୍କ ମୃତଦେହ । ଘରର ରୋଜଗାରିଆ ପୁଅ ଜୀବିତ ନା ମୃତ ଜାଣିବା ପାଇଁ ଚାହିଁ ବସିଥିଲେ ପରିବାର ।
ଉଦ୍ଧାର ପରେ ମୃତ ଶରୀରକୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପୋଷ୍ଟମର୍ଟମ ପାଇଁ ନିଆ ଯାଇଥିଲା l କିଛି ସମୟ ପାଇଁ ସ୍ଥାନୀୟ ଲୋକ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା l କ୍ଷତିପୂରଣ ଦାବିରେ ଅଡି ବସିଥିଲେ ପରିବାର ଲୋକେ l ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଘୋଷଣା କରିଛି କମ୍ପାନୀ । ପରିବାରରୁ ଜଣଙ୍କୁ ଡାଲମିଆ ସିମେଣ୍ଟରେ ଚାକିରି ପାଇଁ ମଧ୍ୟ ପ୍ରତିଶ୍ରୁତି ମିଳିଛି ।
ଅନ୍ୟପଟେ ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ ବିଭାଗ ପକ୍ଷରୁ ଡାଲମିଆ ସିମେଣ୍ଟର କେପି ପାୱାର୍ ପ୍ଲାଣ୍ଟ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି l ଆଗକୁ ଯେଭଳି ଏପରିସ୍ଥିତି ନ ଉପୁଜେ ସେଥିପାଇଁ ଜିଲ୍ଲା ପ୍ରଶାସନ କମ୍ପାନୀ ଉପରେ କଡ଼ା ନଜର ରଖିଥିବା କୁହାଯାଇଛି l ତେବେ ରାଜଗାଙ୍ଗପୁର ବିଧାୟକ ରାଜନ ଏକ୍କା କମ୍ପାନୀର ଷ୍ଟ୍ରକଚର ଯାଞ୍ଚକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ, ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ପାଇଁ ତଦନ୍ତ ହେବ ବୋଲି ପ୍ରକାଶ କରିଛନ୍ତି l