ପୁଅ ଚୋରି କରିଥିବା ବାଇକ୍ ଥାନାରେ ରଖି ଚିଠି ମାଧ୍ୟମରେ ଭୁଲ ମାଗିଲେ ବାପା


କୋରାପୁଟ: ପୁଅ ବାଇକ୍ ଚୋରି କରିଥିଲା । ହେଲେ ବାପା ଚୋରି ବାଇକକୁ ଆଣି ଥାନାରେ ରଖିଦେଲେ । ଆଉ ଏକ ଚିଠି ଛାଡ଼ିଗଲେ । ଯେଉଁଥିରେ ସେ ପୁଅର କୁକର୍ମ ପାଇଁ ଭୁଲ ମାଗିବା ସହ ପୁଅର କିଛି ନକରିବାକୁ ଅନୁରୋଧ କରିଛନ୍ତି । ଏମିତି ଘଟଣା କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଅଞ୍ଚଳରେ ଦେଖିବାକୁ ମିଳିଛି । ତେବେ ଥାନାରେ ଲାଗିଥିବା ସିସିଟିଭି ଫୁଟେଜରେ ଗାଡି ଆଣି ରଖାଯିବାର କିଛି ଭିଡିଓ ରେକର୍ଡ ହୋଇନାହିଁ । ଯାହାକୁ ନେଇ ନାନା ପ୍ରଶ୍ନ ଉଠିବାରେ ଲାଗିଛି ।

ଅଭିଯୋଗ ଅନୁସାରେ, ଉଦଳା ବୈରାଟପୁରରେ କିଛି ଦିନ ତଳେ ବାହାଘର ଚାଲିଥିବା ବେଳେ କ୍ୟାମେରା ମ୍ୟାନ ସାଜି ବାଇକ୍ ଚୋରି କରିଥିଲା ଲୁଟେରା । ହଠାତ ଗତକାଲି ରାତିରେ ଲୁଟେରା ଜଣକ ଲୁଟ ବାଇକକୁ ଆଣି ଥାନାରେ ଛାଡି ଦେଇ ଯାଇଥିଲା । ଲୁଟ ବାଇକ ମିଳିବା ଖବର ଶୁଣିବା ପରେ ଥାନାରେ ପହଞ୍ଚିଥିଲେ ବାଇକ ମାଲିକ । ହେଲେ କିଏ ଓ କେତେବେଳେ ବାଇକ ଆଣି ଥାନାରେ ରଖିଦେଇ ଗଲା ତାହାର କୌଣସି ଖୋଜ ଖବର ମିଳିପାରିନି । ଏପରିକି ଥାନାରେ ଲାଗିଥିବା ସିସିଟିଭିରେ ମଧ୍ୟ ଲୁଟେରାଙ୍କ ଫୋଟ କି ଉକ୍ତ ସମୟର ଘଟଣା କଏଦ ହୋଇ ନଥିବା ଜଣାପଡିଛି ।