ଭୁବନେଶ୍ବର: ପାତ୍ରପଡ଼ା ମୋ ବସ୍ ଦୁର୍ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି । ୧୪ ତାରିଖରେ ହୋଇଥିବା ଦୁର୍ଘଟଣାରେ ଝିଅର ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଗୁରୁତର ଆହତ ମାଆ ମଧ୍ୟ ଆଖି ବୁଜିଛନ୍ତି । ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ଘଟିଛି । ଗତ ଶୁକ୍ରବାର ପାତ୍ରପଡ଼ାରେ ଘଟିଥିଲା ଦୁର୍ଘଟଣା । ମୋ ବସ୍ ଧକ୍କାରେ ପ୍ରଥମେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ଘର ଫୁଲବାଣୀ ଜିଲ୍ଲାରେ ଓ ସେମାନେ ଭୁବନେଶ୍ବରରେ ରହୁଥିଲେ ।
ସୂଚନାଯୋଗ୍ୟ, ସେଦିନ ସିରିଜ ଦୁର୍ଘଟଣା ଘଟାଇଥିଲା ଉକ୍ତ ମୋ ବସଟି । ଦୁଇଟି ଗାଡିକୁ ଧକ୍କା ଦେଇଥିଲା । ଏହାସହ ଗୋଟିଏ ଗାଡ଼ିକୁ ନିଜ ଚକ ତଳେ ଘୋଷଡ଼ି ନେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ମୋ ବସ୍ ଡ୍ରାଇଭରଙ୍କ ଏମିତି କାଣ୍ଡକୁ ଦେଖି ରାଜଧାନୀବାସୀ ରାସ୍ତାରେ ଯିବାକୁ ମଧ୍ୟ ଭୟ କରୁଛନ୍ତି । କାରଣ, ଏହା ଗୋଟିଏ ଘଟଣା ନୁହେଁ । ବାରମ୍ବାର ମୋ ବସ୍ ଦୁର୍ଘଟଣା ଘଟାଇ ଲୋକଙ୍କ ଜୀବନ ନେଉଥିଲେ ବି ଅଭିଯୁକ୍ତ ଡ୍ରାଇଭରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଟାଉ ନଥିବାରୁ ଏଥିରେ ବ୍ରେକ୍ ଲାଗୁନାହିଁ ।