କିଟ୍ ଛାତ୍ରୀ ମୃତ୍ୟୁ ଘଟଣା: ଆଜି ହେବ ଶବ ବ୍ୟବଚ୍ଛେଦ, ପହଞ୍ଚିଲେ ପରିବାର ଲୋକେ


ଭୁବନେଶ୍ବର: କିଟ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା । ଆଜି ଏମ୍ସରେ ହେବ ଶବ ବ୍ୟବଚ୍ଛେଦ । ମୃତକଙ୍କ ପରିବାର ଲୋକେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ରବିବାର ଅପରାହ୍ଣରେ କିଟ୍ ହଷ୍ଟେଲରେ ନେପାଳୀ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିଲେ । ଏକ ରୁମରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ଏହାପରେ କ୍ୟାମ୍ପସରେ ଲାଗି ରହିଥିଲା ହଙ୍ଗାମା । ଏବେ ବି କିଟ୍ କ୍ୟାମ୍ପସରେ ପୋଲିସ ମୁତୟନ ଅଛନ୍ତି ।

ଅନ୍ୟପଟେ କିଟ୍ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଗିରଫ ହୋଇଥିବା ପୁରୁଷ ବନ୍ଧୁ ଆଦ୍ବିକ ଶ୍ରୀବାସ୍ତବ ଜେଲ୍ ଯାଇଛି । ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି କୋର୍ଟ । ଆବଶ୍ୟକ ପଡିଲେ ତାକୁ ରିମାଣ୍ଡର ଆଣିବା ପାଇଁ କୋର୍ଟରେ ଆବେଦନ କରାଯିବ ବୋଲି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ କହିଛନ୍ତି । ଗତକାଲି ଇନଫୋସିଟି ଥାନା ପୋଲିସ ଆଦ୍ବିକ୍ ଶ୍ରୀବାସ୍ତବକୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା । 

ରାଜ୍ୟ ବାହାରକୁ ଖସି ପଳାଇବା ପାଇଁ ଉଦ୍ୟମ କରୁଥିବାବେଳେ ଭୁବନେଶ୍ବର ଏୟାରପୋର୍ଟ ନିକଟରୁ ତାକୁ ଗିରଫ କରାଯାଇଥିଲା । ତା’ ନିଟକରୁ ଏକ ମୋବାଇଲ୍ ଫୋନ୍ ଓ ଲ୍ୟାପଟପକୁ ଜବତ କରିଛି ପୋଲିସ । ପଚରାଉଚରା ବେଳେ ନିଜ ଅପରାଧକୁ ସ୍ବୀକାର କରିଛି ଅଭିଯୁକ୍ତ ଆଦ୍ବିକ୍ ଶ୍ରୀବାସ୍ତବ । ତା’ ବିରୋଧରେ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ବିଏନଏସ ଧାରା ୧୦୮ ମାମଲା ରୁଜୁ ହୋଇଛି । ଆଦ୍ବିକ୍ ଘର ଲକ୍ଷ୍ନୌରେ । 

ପୋଲିସ ସୂଚନା ଅନୁସାରେ, ଦୁଇ ବର୍ଷ ପୂର୍ବେ ମୃତ ଛାତ୍ରୀଙ୍କ ସହ ଆଦ୍ବିକ୍ ଶ୍ରୀବାସ୍ତବର ଚିହ୍ନା ପରିଚୟ ହୋଇଥିଲା । ଏହାରି ଭିତରେ ଛାତ୍ରୀଙ୍କ ଅଗୋଚରରେ ଆଦ୍ବିକ୍ ନିଜ ମୋବାଇଲରେ ଫଟୋ ଏବଂ ଭିଡ଼ିଓ ବି ଉଠାଇ ରଖିଥିଲା । କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ଉପୁଜିଥିଲା । ଏହି ମାମଲାକୁ ନେଇ କିଟ୍ ଅଧୀନରେ ଥିବା ଆଇଆରଓ ବିଭାଗ ଦୁଇ ଦୁଇ ଥର ଆପୋଷ ସମାଧାନ ବି କରିଥିଲା । ତଥାପି ଅଭିଯୁକ୍ତ ସଂପୃକ୍ତ ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦେଇ ଚାଲିଥିଲା । ଶେଷରେ ଉଭୟଙ୍କ ମଧ୍ୟରେ ପୁଣି ଝଗଡ଼ା ହେବାରୁ ନିର୍ଯାତନା ସହି ନପାରି ଶେଷରେ ନିଜ ରୁମରେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିଲେ ।