ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନର ତାରିଖ ଯେମିତି ଯେମିତି ପାଖେଇ ଆସୁଛି ରାଜନୈତିକ ଆରୋପ ପ୍ରତ୍ୟାରୋପ ବଢିବାରେ ଲାଗିଛି। ଏହି କ୍ରମରେ କଂଗ୍ରେସ କେନ୍ଦ୍ର ଏବଂ କର୍ଣ୍ଣାଟକରେ କ୍ଷମତାସୀନ ବିଜେପି ଉପରେ ଗମ୍ଭୀର ଆରୋପ ଲଗାଇଛି। ଦଳ କହିଛି ବିଜେପି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ତାଙ୍କ ପରିବାରକୁ ହତ୍ୟା କରିବାର ଷଡଯନ୍ତ୍ର ରଚୁଛି। ବେଙ୍ଗାଲୁରୁରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର କର୍ଣ୍ଣାଟକ ପ୍ରଭାରୀ ରଣଦୀପ ସୁରଜେଓ୍ଵାଲା ଏମିତି ସଙ୍ଗୀନ ଅଭିଯୋଗ କରିଛନ୍ତି।
ସୁରଜେଓ୍ଵାଲା କହିଛନ୍ତି, ବିଜେପି ଏହାକୁ ହଜମ କରି ପାରୁନି ଯେ, ଖଡଗେଙ୍କ ଜନ୍ମ ଦଳିତ ପରିବାରରେ ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପରିହାସ କରିଛନ୍ତି। ବିଜେପି ବିଧାୟକ ମଦନ ଦିଲାଓ୍ଵର ଖଡ଼ଗେଙ୍କ ପାଇଁ ମୃତ୍ୟୁ କାମନା କରିଛନ୍ତି। ବିଜେପିର ହତାସାପଣ ବିପଦଜ୍ଜନକ ସ୍ତରରେ ପହଞ୍ଚି ଯାଇଛି। ଖଡଗେ ଏବଂ ତାଙ୍କ ପରିବାରକୁ ହତ୍ୟା କରିବାର ଷଡଯନ୍ତ୍ର ରଚୁଛି। ଏହା ପ୍ରତ୍ୟେକ କନ୍ନଡିଆଙ୍କ ସମ୍ମାନ ଏବଂ ଜୀବନ ଉପରେ ହମଲା। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ, କର୍ଣ୍ଣାଟକ ପୋଲିସ ଏବଂ ନିର୍ବାଚନ ଆୟୋଗ ସମସ୍ତେ ଏହା ଉପରେ ନିରବ। ସୂଚନାଯୋଗ୍ୟ, କର୍ଣ୍ଣାଟକ ବିଧାନସଭା ନିର୍ବାଚନର ସମସ୍ତ ୨୨୪ ଆସନ ପାଇଁ ମେ ୧୦ ତାରିଖରେ ଭୋଟିଂ ହେବ।
କଂଗ୍ରେସ କର୍ଣ୍ଣାଟକର ଚିତ୍ତପୁରର ବିଜେପି ପ୍ରାର୍ଥୀ ମଣିକାନ୍ତ ରାଠୋର ଏବଂ ଅନ୍ୟ ଜଣେ ବିଜେପି କର୍ମୀଙ୍କ ମଧ୍ୟରେ କଥିତ କଥାବାର୍ତ୍ତାର ଏକ ଅଡ଼ିଓ କ୍ଲିପ୍ ଜାରି କରିଛି। ଯେଉଁଥିରେ ରାଠୋର କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେ ଏବଂ ତାଙ୍କ ପରିବାରକୁ ହତ୍ୟା କରି ଦେବେ ବୋଲି କହୁଥିବା ଶୁଣିବାକୁ ମିଳୁଛି। କର୍ଣ୍ଣାଟକରେ କଂଗ୍ରେସ ପ୍ରତି ଜନତାଙ୍କ ଭଲ ପାଇବା ଦେଖି ବିଜେପି ଭୟଭୀତ ହୋଇ ପଡ଼ିଛି। ଏହା ଚିତ୍ତପୁରରୁ ବିଜେପି ପ୍ରାର୍ଥୀଙ୍କ ରେକର୍ଡିଂରୁ ସ୍ପଷ୍ଟ ହୋଇ ଯାଇଛି ବୋଲି ସୁରଜେଓ୍ଵାଲା କହିଛନ୍ତି।