ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ କୋଇଲା ମାଫିଆଙ୍କ ଦୌରାତ୍ମ୍ୟ । ଚୋରା କୋଇଲା ଚାଲାଣକୁ ବିରୋଧ କରି ପୋଲିସକୁ ଖବର ଦେବାରୁ ପିଟିପିଟି ହତ୍ୟା । ଘଟଣା ଘଟିଛି ତିହିଡି ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଛତ୍ରପଦା ଗ୍ରାମରେ । ମୃତକ ହେଲେ ଗାଁର ଅବନୀ ନାୟକ ।
ଅବନୀ ବିଭିନ୍ନ ସମୟରେ ନିକଟସ୍ଥ ଧାମରା ରେଳପଥରୁ କୋଇଲା ଚୋରିକୁ ବିରୋଧ କରୁଥିଲେ । ଗତକାଲି ବିଳମ୍ବିତ ରାତିରେ ୧୦ରୁ ଊର୍ଦ୍ଧ୍ବ କୋଇଲା ବୋଝେଇ ପିକପ ଭ୍ୟାନ ତାଙ୍କ ଘରବାଟ ଦେଇ ଯାଉଥିଲା । ଯାହାକୁ ସେ ବିରୋଧ କରିବା ସହ ପୋଲିସକୁ ଖବର ଦେଇଥିଲେ । ପରେ କୋଇଲା ମାଫିଆଙ୍କ ସହ ଅବନୀଙ୍କର ଧସ୍ତାଧସ୍ତି ହୋଇଥିଲା । ଏହି ଧସ୍ତାଧସ୍ତିରେ ଅବନୀ ନିଜକୁ ବଞ୍ଚାଇବାକୁ ଯାଇ କୋଇଲା ମାଫିଆଙ୍କୁ ଆକ୍ରମଣ କରିଥିଲେ । ଶେଷରେ ଛଅରୁ ସାତ ଜଣ କୋଇଲା ମାଫିଆ ମିଶି ତାଙ୍କୁ ମାଡ଼ ମାରିଥିଲେ । ଫଳରେ ଘଟଣାସ୍ଥଳରେ ଅବନୀଙ୍କ ମୃତ୍ୟୁ ଘଟିଥିଲା ।