କୋରାପୁଟରେ ସାଉଥ ସୁପରଷ୍ଟାର ମହେଶ ବାବୁଙ୍କ ଚାଲିଛି ସୁଟିଂ, ଦେଖିବାକୁ ଲାଗିଛି ଲୋକଙ୍କ ଭିଡ଼


ଜୟପୁର: କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ତଳମାଳ ପାହାଡ଼ରେ ଆରମ୍ଭ ହୋଇଛି ସୁଟିଂ । ପାନ୍ ଇଣ୍ଡିଆ ଡିରେକ୍ଟର ରାଜାମୌଲିଙ୍କ ଏହା ଅପ୍ କମିଂ ଫିଲ୍ମ । ବିଗ୍ ବଜେଟ୍ ଫିଲ୍ମର ମୁଖ୍ୟ ଭୂମିକାରେ ସାଉଥ୍ ସୁପରଷ୍ଟାର ମହେଶ ବାବୁ ଥିବା ବେଳେ ଗୁରୁବାରରୁ ଫିଲ୍ମର ଏକ ଆକ୍ସନ ସିନର ସୁଟିଂ ଆରମ୍ଭ ହୋଇଛି । ଫିଲ୍ମର ପୂରା ୟୁନିଟ୍ ଡେରା ପକାଇଛନ୍ତି ତଳମାଳି ପାହାଡ଼ରେ । ବିଶ୍ବସ୍ତରୀୟ ସେଟ୍ ଅପ୍ ତିଆରି ହୋଇଛି । ଯାହାକୁ ଦେଖିବାକୁ ସିନେମା ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିଛି ।

ମାସି ଲୁକ୍‌ରେ ମହେଶ ବାବୁ । ଚାଲିଛି ହାଇ ଆକ୍ସନ ପ୍ୟାକଡ୍ ଫିଲ୍ମର ସୁଟିଂ । ପଛରୁ ଧକ୍କା ଦେବା ପରେ ଆଣ୍ଠେଇ ପଡୁଛନ୍ତି ହିରୋ, ସାମ୍ନାରେ ମେନ୍ ଭିଲେନ୍ । ପାନ୍ ଇଣ୍ଡିଆ ଡିରେକ୍ଟର ଏସ.ଏସ୍. ରାଜାମୌଲିଙ୍କ ଏହି ବହୁ ପ୍ରତୀକ୍ଷିତ ସିନେମାର ସୁଟିଂ ଆଗେଇ ଚାଲିଛି କୋରାପୁଟ ସେମିଳିଗୁଡାର ତଳମାଳି ପାହାଡରେ । ପାଖାପାଖି ୫୦୦ ଜଣିଆ କ୍ରିଉ ମେମ୍ବର ଫିଲ୍ମ ପାଇଁ ଡେରା ପକାଇଛନ୍ତି । ତିଆରି ହୋଇଛି ବିଶ୍ବସ୍ତରୀୟ ସେଟ୍ ଅପ୍ । ସୁଉଚ୍ଚ ପାହାଡ ଓ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ମଧ୍ୟରେ ଚାଲିଛି ଏହି ହାଇ ବଜେଟ୍ ଫିଲ୍ମର ମେକିଂ । ସିମେନାର ଟାଇଟଲ ସ୍ଥିର ହୋଇ ନଥିବା ବେଳେ ପ୍ରୋଜେକ୍ଟ ନାଁ ରଖାଯାଇଛି SSMB-29 । ଯେଉଁଥିରେ ରହିଛି ସୁପରଷ୍ଟାର ମହେଶ ବାବୁ ଏବଂ ପୃଥ୍ବୀରାଜ ସୁକୁମାରନଙ୍କ ଅଭିନୟ । ଫିଲ୍ମର ଲିଡ୍ ଆକ୍ଟ୍ରେସ୍ ହେଉଛନ୍ତି ପ୍ରିୟଙ୍କା ଚୋପ୍ରା । ଖୁବଶୀଘ୍ର ସେ ସୁଟିଂ ସେଟରେ ଯୋଗ ଦେବେ । ଆଉ, ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ବ୍ଲକ ବଷ୍ଟର ବାହୁବଳୀ ଓ RRR ଫେମ୍ ଏସ. ଏସ୍ ରାଜାମୌଲି । 

ଗୁରୁବାରରୁ ଆରମ୍ଭ ହୋଇଛି ଫିଲ୍ମର ସୁଟିଂ । କେବଳ ତଳମାଳି ନୁହେଁ, ଓଡ଼ିଶାର ଉଚ୍ଚତମ ଶୃଙ୍ଗ ଦେଓମାଳିରେ ବି ସୁଟ୍ ହେବ ରାଜାମୌଲିଙ୍କ ଏହି ଚର୍ଚ୍ଚିତ ଫିଲ୍ମ । ଦୁର୍ଗା ଆର୍ଟସ ବ୍ୟାନରରେ ନିର୍ମାଣ ହେଉଥିବା ଏହି ଫିଲ୍ମ ମହେଶ ବାବୁଙ୍କ ୨୯ତମ ସିନେମା । ଏମାସ ୨୮ ତାରିଖ ଯାଏଁ ସୁଟିଂ ନେଇ ରାଜମୌଲିଙ୍କୁ ଅନୁମତି ଦେଇଛି ଜିଲ୍ଲା ପ୍ରଶାସନ ଓ ପୋଲିସ । ତଳମାଳିରେ ସେଟ ଅପ୍ ଲାଗିଥିବା ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ସିନେମା ସଂସ୍ଥାର ଘରୋଇ ସୁରକ୍ଷା କର୍ମୀଙ୍କ ସହ କୋରାପୁଟ ପୋଲିସ, ଆଇଆରବି ବାଟାଲିୟନ ଓ ଏକ ପ୍ଲାଟୁନ୍ ପୋଲିସ ମୁତୟନ ହୋଇଛନ୍ତି । ସୁଟିଂ ଦେଖିବାକୁ ପର୍ବତ ଅଞ୍ଚଳକୁ ପ୍ରତିଦିନ ଲୋକଙ୍କ ଗହଳି ଲାଗୁଥିବା ବେଳେ କିନ୍ତୁ ଅନୁମତି ମିଳୁନି । ବାହାର ଲୋକଙ୍କ ପାଇଁ ନିଷେଧ ହୋଇଛି ମୋବାଇଲ୍ । ପୂର୍ବରୁ କୋରାପୁଟରେ ଘାଟି ଏବଂ ମାଲକାନଗିରିର ଘଞ୍ଚ ଜଙ୍ଗଲରେ ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା-2ର ସୁଟିଂ ହୋଇଥିଲା । ଏବେ ରାଜାମୌଲିଙ୍କ ଅପ କମିଂ ଫିଲ୍ମ ସହ ଆଗକୁ ଅନେକ ଦକ୍ଷିଣ ଭାରତୀୟ ଫିଲ୍ମ ସୁଟିଂ ହେବା ସମ୍ଭାବନା ଦେଖାଦେଇଛି ।