ରକ୍ତ ରଞ୍ଜିତ ହେଲା ରାଜଧାନୀ: ସାଇକେଲ ଚୋରି ଅଭିଯୋଗରେ ଯୁବକଙ୍କୁ ହାଣିଦେଲେ


ଭୁବନେଶ୍ବର: ସାଇକେଲକୁ ନେଇ ରକ୍ତରଞ୍ଜିତ ହେଲା ରାଜଧାନୀ ଭୁବନେଶ୍ବର । ସାଇକେଲ ଚୋରିକୁ କେନ୍ଦ୍ର କରି ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା । ବାଲିଅନ୍ତା ଥାନା ଅଣ୍ଡିଲୋ ଗ୍ରାମରେ ଏଭଳି ହତ୍ୟାକାଣ୍ଡ ଘଟିଛି । ମୃତକ ଅଣ୍ଡିଲୋ ଗ୍ରାମର ସୌମ୍ୟ ରଞ୍ଜନ ଭୋଇ । ସୌମ୍ୟକୁ ବଞ୍ଚାଇବାକୁ ଚେଷ୍ଟା କରି ତାଙ୍କ ମାଆ ଏବଂ ସାଙ୍ଗ ମଧ୍ୟ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ଖଣ୍ଡା ଚୋଟରେ ସୌମ୍ୟଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମାଆ ଏବଂ ସାଙ୍ଗ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅଭିଯୁକ୍ତ ତରୁଣ ଭୋଇକୁ ବାଲିଅନ୍ତା ପୋଲିସ ଅଟକ ରଖିଛି ।

ଖବର ଅନୁସାରେ, ଅଣ୍ଡିଲୋ ଗ୍ରାମର ତରୁଣ ଭୋଇଙ୍କର ଏକ ସାଇକେଲ ଚୋରି ହୋଇଥିଲା । ସେ ସୌମ୍ୟଙ୍କୁ ସନ୍ଦେହ କରୁଥିଲେ । ଏପରିକି ସୌମ୍ୟଙ୍କୁ ଗାଁ ଦାଣ୍ଡରେ ଗାଳି ଗୁଲଜ କରିଥିଲେ । ପରେ ଏକ ଖଣ୍ଡା ଆଣି ସୌମ୍ୟଙ୍କୁ ଆକ୍ରମଣ କରିଥିଲେ । ରକ୍ତ ଜୁଡୁବୁଡୁ ହୋଇ ସୌମ୍ୟ ଗାଁ ଦାଣ୍ଡରେ ପଡ଼ିଥିଲେ । ସୌମ୍ୟଙ୍କୁ ବଞ୍ଚାଇବାକୁ ତାଙ୍କ ମାଆ ଏବଂ ସାଙ୍ଗ ଦୌଡି ଆସିଥିଲେ । ସେମାନଙ୍କୁ ମଧ୍ୟ ଖଣ୍ଡାରେ ହାଣି ରକ୍ତାକ୍ତ କରିଥିଲେ ଅଭିଯୁକ୍ତ ତରୁଣ ।