ମା ମାଣିକେଶ୍ୱରୀ ବିଶ୍ୱ ବିଦ୍ୟାଳୟ ଅର୍ଥନୀତି ବିଭାଗର ଏକ ଦିବସୀୟ ଜାତୀୟ ଆଲୋଚନାଚକ୍ର


କଳାହାଣ୍ଡି, ୧୭/୦୩-‘ବିକଶିତ ଭାରତ-୨୦୪୭: ଅନ୍ତର୍ଭୁକ୍ତ ଓ ନିରନ୍ତର ବିକାଶ ପଥରେ ଓଡ଼ିଶା’ ସଂପର୍କରେ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗରେ ଏକ ଦିବସୀୟ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ କୁଳପତି ଡକ୍ଟର ନିବେଦିତା ନାଥ ଅଧ୍ଯକ୍ଷତା କରି ବିକଶିତ ଭାରତର ଭବିଷ୍ୟତ ସଂପର୍କରେ ନିଜର ଅଭିମତ ପ୍ରକାଶ କରିଥିଲେ । ଅର୍ଥନୀତି ବିଭାଗର ମୁଖ୍ଯ ଡକ୍ଟର ଚିତ୍ରସେନ ଭୁଏ ଆଲୋଚନାଚକ୍ରର ଲକ୍ଷ୍ୟ ଓ ଉଦ୍ଦେଶ୍ଯ ସଂପର୍କରେ ବିବରଣୀ ପ୍ରଦାନ କରିଥିଲେ । ମୁଖ୍ଯ ଅତିଥି ରୂପେ ପ୍ରଫେସର କହ୍ନେୟା ଆହୁଜା , ନିର୍ଦ୍ଦେଶକ, ଅର୍ଥନୀତି ବିଭାଗ, ଦେବୀ ଅହଲ୍ୟା ବିଶ୍ୱବିଦ୍ୟାଳୟ, ଇନ୍ଦୋର , ମଧ୍ୟପ୍ରଦେଶ ଯୋଗଦାନ କରି ସ୍ବାଧିନତା ପରବର୍ତ୍ତୀ ସମୟର ଅର୍ଥନୀତି ଓ ସାଂପ୍ରତିକ ଅର୍ଥନୀତିର ତୁଳନାତ୍ମକ ବିଶ୍ଳେଷଣ କରି ୨୦୪୭ ମସିହାରେ ଅର୍ଥନୈତିକ ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ଯବକ୍ତା ରୂପେ ଡକ୍ଟର ଦୁଃଖବନ୍ଧୁ ସାହୁ , ଆଇଆଇଟି, ଭୁବନେଶ୍ବର, ବିଭିନ୍ନ ପ୍ରକାର ସୂଚକାଙ୍କ ଆଧାରରେ ଭାରତୀୟ ଅର୍ଥ ବ୍ୟବସ୍ଥାର ସ୍ଥିତି ଓ ପ୍ରଗତି ବିଷୟରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଡକ୍ଟର ଉମାଶଙ୍କର ଦାଶ ଆଞ୍ଚଳିକ ନିର୍ଦ୍ଦେଶକ, ସମ୍ବଲପୁର ସାଂପ୍ରତିକ ଓଡିଶାର ଅର୍ଥନୈତିକ ଅନୁଭୂତି ଓ ପ୍ରଗତି ବିଷୟରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଡକ୍ଟର ଉମାଚରଣ ପତି, ଉପ-କୁଳସଚିବ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ୨୦୪୭ ରେ ଭାରତର ସମ୍ଭାବ୍ୟ ପ୍ରଗତିର ସୂଚନା ପ୍ରଦାନ କରିଥିଲେ । ସହକାରୀ ପ୍ରଫେସର ସୀମାଞ୍ଚଳ ମିଶ୍ର ଆବାହକ ଦାୟିତ୍ବ ନିର୍ବାହ କରିଥିଲେ । ଉକ୍ତ ଆଲୋଚନାଚକ୍ରକୁ ଅଧ୍ୟାପିକା ସୁଶ୍ରୀ ସୋନାଲିଶା ସାହୁ ସଂଯୋଜନା କରିଥିବାବେଳେ ସହକାରୀ ପ୍ରଫେସର ଡକ୍ଟର ଶେଷଦେବ ସୁନା ଧନ୍ୟବାଦ ଅର୍ପଣ କରିଥିଲେ । ଅର୍ଥନୀତି ବିଭାଗର ଅଧ୍ୟାପକ ସନ୍ତୋଷ ସାହୁ, ରୋଶନ ପଧାନ, ଚୋଡ଼ଗଙ୍ଗ ସାହୁ, ସୁନନ୍ଦିତା ସାହୁ, ସ୍ନିଗ୍ଧା ବାରିକ, ରଶ୍ମିତା ମାଝୀ ତଥା ସମସ୍ତ ଗବେଷକ- ଗବେଷିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।